ପୁରୀ: ବୁଧବାର ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ‘ବନକ ଲାଗି’ ବା ‘ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହୋଇଅଛି । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ମହାପ୍ରଭୁଙ୍କ ଏହି ଗୁପ୍ତ ସେବା ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ଏହି ବନକଲାଗି ନୀତି କରୁଛନ୍ତି । ପ୍ରଥମେ ଶ୍ରୀବିଗ୍ରହମାନଙ୍କର ଅଧର ପୋଛା ପରେ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ବେଶ୍ ନିଷ୍ଠାର ସହ ଦତ୍ତ ମହାପାତ୍ର ସେବାୟତମାନେ ବନକ ପ୍ରସ୍ତୁତ କରିଥାନ୍ତି। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ମହାପ୍ରଭୁଙ୍କ ମୁଖ ମଣ୍ଡଳ ବେଶ୍ ଆକର୍ଷଣୀୟ ଦେଖା ଯାଇଥାଏ।
ତେବେ ବନକ ଲାଗି ପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସଂପନ୍ନ କରିଥାନ୍ତି । ତେବେ ଆଜି ସର୍ବସାଧାରଣ ଦର୍ଶନର ଚତୁର୍ଥ ଦିନ ହୋଇଥିବାବେଳେ ବନକଲାଗିର ଏହି ଗୁପ୍ତନୀତି ପାଇଁ ଭକ୍ତ ମାନେ ଭାବର ଠାକୁରଙ୍କ ଦର୍ଶନରୁ ବଞ୍ଚିତ ରହିବେ।
ଶ୍ରୀମନ୍ଦିରର ପ୍ରଥା ଓ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାରରେ ପ୍ରଭୁ ଜଗନ୍ନାଥଙ୍କର ବନକଲାଗି ନୀତି ପାଳନ ହେବାର ବିଧି ରହିଛି। ଶ୍ରୀମନ୍ଦିର ନୀତି ନୀର୍ଘଣ୍ଟ ଅନୁଯାୟୀ ମଧ୍ୟାହ୍ନ ୨ଟା ୩୦ରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରାଯାଇଛି । ଏହି ନୀତିକାନ୍ତିରେ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରକାରର ପ୍ରାକୃତିକ ରଙ୍ଗରେ ସୁସଜ୍ଜିତ କରାଯାଏ
Comments are closed.