Latest Odisha News

BREAKING NEWS

ରାଜ୍ୟସ୍ତରୀୟ ବନମହୋତ୍ସବ: ଜୁଲାଇ ୭ ତାରିଖ ଦିନ ୪୦ ଲକ୍ଷ ଗଛ ଲଗାଯିବ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

ଭୁବନେଶ୍ୱର : ଚଳିତ ଜୁଲାଇ ମାସ ୭ ତାରିଖ ଦିନ ସାରା ରାଜ୍ୟରେ ଗୋଟିଏ ଦିନରେ ୪୦ ଲକ୍ଷ ଗଛ ଚାରା ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ପାତ୍ରପଡ଼ା-ଭଗବାନପୁର ହାଇସ୍କୁଲ ପରିସରରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବନ ମହୋତ୍ସବ କାର୍ଯ୍ୟକ୍ରମରେ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଛ ପ୍ରକୃତିର ଆତ୍ମା । ଗଛ ନଷ୍ଟ ହେଲେ ପ୍ରକୃତି ନଷ୍ଟ ହୋଇଥାଏ । ତେଣୁ ଗଛର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨୫୦୦ ବର୍ଗ କିମି ଜଙ୍ଗଲ ବଢିଛି ବୋଲି ସୂଚନା ଦେଇ ଏଥିପାଇଁ ରାଜ୍ୟ ଜଙ୍ଗଲ ବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତି ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ସବୁଜ ମହାନଦୀ ମିଶନ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାନଦୀ ଓଡ଼ିଶାର ଜୀବନରେଖା । ତେଣୁ ମହାନଦୀର ସୁରକ୍ଷା ପାଇଁ ମହାନଦୀ ଅବବାହିକାରେ ଦୁଇ କୋଟି ଗଛ ଲଗାଯିବ । ଏହି କାର୍ଯ୍ୟକ୍ରମର ସଫଳତାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଗଛର ସୁରକ୍ଷା ହେଉଛି ସଭ୍ୟତା ଓ ସଂସ୍କୃତିର ସୁରକ୍ଷା । ତେଣୁ ପରିବାରର ସଦସ୍ୟ ପରି ଗଛର ଯତ୍ନ ନେବା ସହିତ ଭବିଷ୍ୟତ ପୀଢି ପାଇଁ ଏକ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ନିମନ୍ତେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ବିଜୟ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ । ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ଚାରା ରୋପଣ କରିବା ସହ ବନୀକରଣ ଦିଗରେ ଭଲ କାମ କରିଥିବା ଗଞ୍ଜାମର ବାଲିପୁଟ ସୁରକ୍ଷା ସମିତି ଏବଂ ସମ୍ବଲପୁରର ଓରାମ-ନିକିତିମାଳ ବନ ସୁରକ୍ଷା ସମିତିକୁ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ । ବନ ମହୋତ୍ସବ ଅବସରରେ ଅୟୋଜିତ ବକ୍ରୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.