Latest Odisha News

BREAKING NEWS

ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଧନେଶ୍ୱର ମହାପାତ୍ରଙ୍କ ପରଲୋକ

କଟକ : ବିଶିଷ୍ଟ ଭାଷାବିତ୍ ତଥା ସାହିତ୍ୟିକ ଧନେଶ୍ୱର ମହାପାତ୍ରଙ୍କ ସୋମବାର କଟକର ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ରହି ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜୀବନ କୁମାରୀ ମହାପାତ୍ର, ପୁତ୍ର ଧର୍ମବ୍ରତ ମହାପାତ୍ର, ବୋହୂ ସଂଯୁକ୍ତା ମହାପାତ୍ର, ଜ୍ୱାଇଁ ପ୍ରଫେସର ବିଜୟ କୁମାର ଶତପଥି, ଡ଼ାକ୍ତର ଅଜିତ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ନନ୍ଦ, ମାନସ କୁମାର କବି ଏବଂ ଅନେକ ଆତ୍ମୀୟସ୍ୱଜନ ଉପସ୍ଥିତ ରହିଥିଲେ ।

ତାଙ୍କର ମୃତ୍ୟୁ ଖବର ଜାଣି କଟକ ଓ ଭୁବନେଶ୍ୱରର ବହୁ ବିଶିଷ୍ଟ ଲେଖକ, ଅଧ୍ୟାପକ, କବି, ସାମ୍ବାଦିକ ତଥା ବୁଦ୍ଧିଜୀବିମାନେ ଆସି ଶେଷ ଦର୍ଶନ କରିଥିଲେ । ଡ଼ଃ ଧନେଶ୍ୱର ମହାପାତ୍ରଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଆୟତନ ଗ୍ରାମରେ ହୋଇଥିଲା । ପ୍ରଜ୍ଞାପୁରୁଷ ଧନେଶ୍ୱର ମହାପାତ୍ର ଏକାଧାରରେ ଥିଲେ ଜଣେ ଭାଷାତତ୍ତ୍ୱବିଦ୍, ବ୍ୟାକରଣବିଦ୍, ସଂସ୍କୃତଜ୍ଞ, ସାହିତ୍ୟ ସମାଲୋଚକ ଓ ଅଧ୍ୟାପକ ତଥା ଉଚ୍ଚକୋଟୀର ପ୍ରାବନ୍ଧିକ । ଜଣେ ପ୍ରାବନ୍ଧିକ ଭାବେ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର କେତେଗୁଡ଼ିଏ ଅନବଦ୍ୟ ପ୍ରକାଶନ ମଧ୍ୟରେ ‘ସାରଳା ମହାଭାରତର ଭାଷାତାତ୍ତ୍ୱିକ ଅନୁଶୀଳନ’, ‘ସାହିତ୍ୟ ତତ୍ତ୍ୱ’, ‘ଓଡ଼ିଆ ଧ୍ୱନୀତତ୍ତ୍ୱ ଓ ଶବ୍ଦସମ୍ଭାର’, ‘ଆମ ଓଡ଼ିଆ ବ୍ୟାକରଣ’ ଓ ଅଶ୍ୱଘୋଷର ରଚନାବଳୀ ପ୍ରକୃତରେ ଓଡ଼ିଆ ଭାଷାସାହିତ୍ୟର ଏକ ମାଇଲଖୁଣ୍ଟ ସଦୃଶ ।

ବିଶିଷ୍ଟ ସାହିତ୍ୟିକ ଧନେଶ୍ୱର ମହାପାତ୍ର ତାଙ୍କର ସାହିତ୍ୟକୃତି ଲାଗି ସମ୍ମାନଜନକ ସୋଭିଏତ୍ ଦେଶ ନେହେରୁ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ପୁରସ୍କାର ପରି ପୁରସ୍କାର ହାସଲ କରିଛନ୍ତି ।

ପ୍ରକୃତରେ ଏହି ଯଶସ୍ୱୀ ଭାଷାତତ୍ତ୍ୱବିଦ୍, ଗବେଷକ ତଥା ଓଡ଼ିଆ ସାହିତ୍ୟିକଙ୍କ ପରଲୋକରେ ଓଡ଼ିଆ ଭାଷା ଓ ସାହିତ୍ୟ ଲାଗି ଏକ ଅପୂରଣୀୟ କ୍ଷତି ଘଟିଛି ।

Leave A Reply

Your email address will not be published.