ଢାକା: ବାଂଲାଦେଶରେ ୧୩ତମ ସଂସଦୀୟ ନିର୍ବାଚନର ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ ଗୁରୁବାର ଏହି ତାରିଖ ଘୋଷଣା କରିଛନ୍ତି । ଦେଶରେ ୨୦୨୬ ଫେବୃଆରୀ ୧୨ ତାରିଖରେ ଭୋଟ୍ ଦିଆଯିବ ।
ତେବେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପରେ ଫେବୃଆରୀ ୧୨ ତାରିଖରେ ଭୋଟ୍ ଗଣନା କରାଯିବ ଏବଂ ସେହି ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି କମିଶନ ସୂଚନା ଦେଇଛନ୍ତି ।
ଏହି ନିର୍ବାଚନ ବାଂଲାଦେଶର ରାଜନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, କାରଣ ଛାତ୍ରଙ୍କ ନେତୃତ୍ୱରେ ହିଂସାଜନକ ପ୍ରତିବାଦ ପରେ ଅଗଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରେ ଏହା ପ୍ରଥମ ସାଧାରଣ ନିର୍ବାଚନ ହେବ । ଶେଖ୍ ହସିନାଙ୍କ ସରକାରର ପତନ ପରେ, ଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା, ଯାହାର ପ୍ରାଥମିକ କାର୍ଯ୍ୟ ଥିଲା ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ କରିବା ।
ତେବେ ଶେଖ୍ ହାସିନାଙ୍କ ବିଦ୍ରୋହର କିଛି ଦିନ ପରେ ବାଂଲାଦେଶରେ ଆୱାମୀ ଲିଗ୍ ପ୍ରତିବନ୍ଧିତ ହୋଇଥିଲା । ଏହି ପ୍ରତିବନ୍ଧକ ଯୋଗୁଁ, ଆୱାମୀ ଲିଗ୍ ନିର୍ବାଚନରେ ଅଂଶଗ୍ରହଣ କରିପାରିବ ନାହିଁ । ୟୁନୁସ୍ ସରକାର କହିଛନ୍ତି ଯେ, ଆୱାମୀ ଲିଗ୍ ଶେଖ୍ ହାସିନାଙ୍କ ହାତରେ ରହିଛି । ଶେଖ୍ ହାସିନାଙ୍କ ଉପରେ ବାଂଲାଦେଶରେ ଗଣହତ୍ୟାର ଅଭିଯୋଗ ଅଛି । ତେଣୁ, ଦଳକୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ ।
ଶେଖ୍ ହାସିନା ଏହାର ଦୃଢ଼ ବିରୋଧ ପ୍ରକାଶ କରି ଏକ ବିବୃତ୍ତି ଜାରି କରିଥିଲେ । ସେ କହିଥିଲେ ଯେ ଯଦି ଆୱାମୀ ଲିଗକୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଏ ନାହିଁ, ତେବେ ତାଙ୍କ କର୍ମୀମାନେ ଚୁପ୍ ରହିବେ ନାହିଁ । ବାଂଲାଦେଶରେ ଆୱାମୀ ଲିଗ୍ ଏବେ ବି ଏକ ଦୃଢ଼ ସମର୍ଥନ ଆଧାର ରଖିଛି ।