ଢାକା: ବିବାଦ ମଧ୍ୟରେ ବାଂଲାଦେଶ ସରକାର ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରସାରଣ ଏବଂ ବିଜ୍ଞାପନ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ ଲାଗୁ କରିଛନ୍ତି।
ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାହାର କରାଯିବା ପରେ ବାଂଲାଦେଶ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଜାନୁଆରୀ ୫ ତାରିଖରେ ଜାରି ଏକ ସରକାରୀ ବିଜ୍ଞପ୍ତିରେ ଅଧିକାରୀମାନେ କହିଛନ୍ତି ଯେ ସମସ୍ତ ଆଇପିଏଲ୍-ସମ୍ବନ୍ଧୀୟ ପ୍ରସାରଣ ଏବଂ ଇଭେଣ୍ଟ କଭରେଜ୍ ତୁରନ୍ତ ପ୍ରଭାବରୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ସ୍ଥଗିତ ରହିବ। ତେବେ ଏହି ନିଷ୍ପତ୍ତି “ଜନସ୍ୱାର୍ଥ” ପାଇଁ ନିଆଯାଇଛି।
ସୂଚନାଯୋଗ୍ୟ, ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୬ ପାଇଁ ମିନି-ନିଲାମରେ କିଣିଥିଲା। କିନ୍ତୁ ପରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବିସିସିଆଇ ଏଥିରେ ହସ୍ତକ୍ଷେପ କରିବା ସହ କେକେଆର୍ ଫ୍ରାଞ୍ଚାଇଜକୁ ମୁସ୍ତାଫିଜୁର ରହମାନଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା।
ତେବେ ବାଂଲାଦେଶୀ ଅଧିକାରୀମାନେ ଏହି ନିଷ୍ପତ୍ତିକୁ ଅଯୌକ୍ତିକ ବୋଲି କହିଥିଲେ। ସେମାନେ ଆହୁରି ମଧ୍ୟ କହିଥିଲେ ଯେ ଭାରତୀୟ କ୍ରିକେଟ୍ ବୋର୍ଡର ନିଷ୍ପତ୍ତିରେ କୌଣସି ଯଥାର୍ଥତା ନାହିଁ ଏବଂ ଏଥିରେ ବାଂଲାଦେଶର ଜନତା ମର୍ମାହତ ଏବଂ କ୍ରୋଧିତ ହୋଇପଡ଼ିଛନ୍ତି। ସେଥିପାଇଁ ଜନସ୍ୱାର୍ଥ ଦୃଷ୍ଟିରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ମ୍ୟାଚ୍ ଏବଂ ଇଭେଣ୍ଟଗୁଡ଼ିକର ପ୍ରଚାର ତଥା ପ୍ରସାରଣ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି।