Latest Odisha News

BREAKING NEWS

ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବ୍ୟାଙ୍କ ୟୁନିୟନଙ୍କ ବିରୋଧ, ମାର୍ଚ୍ଚ ୧୦ରେ ସଂସଦ ଘେରିବାକୁ ଆହ୍ୱାନ

ନୂଆଦିଲ୍ଲୀ: ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବ୍ୟାଙ୍କ ୟୁନିୟନମାନେ ବିରୋଧ କରିଛନ୍ତି । ଏଥିପାଇଁ ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ବିଭିନ୍ନ ରାଜ୍ୟର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସତ୍ତ୍ୱେ ଯଦି ସରକର ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି ତେବେ ବ୍ୟାଙ୍କ ୟୁନିୟନମାନେ ଆସନ୍ତା ମାସ ୧୦ତାରିଖରେ ସଂସଦ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତମାସ ପହିଲାରେ ୨୦୨୧-୨୨ ବାର୍ଷିକ ବଜେଟ୍ ଉପସ୍ଥାପନ କାଳରେ ଦେଶର ୨ଟି ବ୍ୟାଙ୍କର ଘରୋଇକରଣ ନେଇ ତାଙ୍କ ଅଭିଭାଷଣରେ ସଂସଦକୁ ସୂଚିତ କରିଥିଲେ । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଏକ ବିବୃତ୍ତିରେ ୟୁନାଇଟେଡ ଫୋରମ ଅଫ ୟୁନିୟନସ ( ୟୁଏଫୟୁ) ବ୍ୟାନରରେ ୯ଟି ବ୍ୟାଙ୍କ ୟୁନିୟନର ଅନୁନ୍ୟ ୧୦ଲକ୍ଷ କର୍ମଚାରୀ ଓ ଅଧିକାରୀ ମିଳିତ ଭାବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଥିବା କହିଛି ।

ଆଜିର ବିକ୍ଷୋଭ ପରେ ବ୍ୟାଙ୍କ ୟୁନିୟନମାନେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିରୋଧ କରିବେ । ସରକାର ଯଦି ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ନ କରନ୍ତି ମାର୍ଚ୍ଚ ୧୦ ତାରିଖ ଦିନ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଏଆଇବିଇଏ କହିଛି ।

ସେହିପରି ୧୫ ଓ ୧୬ ମାର୍ଚ୍ଚରେ ଦେଶର ସବୁ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ୨ ଦିନିଆ ହରତାଳ କରିବେ । ଏହା ସତ୍ତ୍ୱେ ସରକାର ଯଦି ନିଜ ନିଷ୍ପତ୍ତିରେ ଆଗକୁ ପଦକ୍ଷେପ ନିଅନ୍ତି ତେବେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଆନ୍ଦୋଳନ ସେହି ଅନୁସାରେ ବଢିବା ସହ ଆଗକୁ ଅନିର୍ଦ୍ଧିଷ୍ଟକାଳୀନ ବ୍ୟାଙ୍କ ହରତାଳ କରାଯିବ ।

Leave A Reply

Your email address will not be published.