Latest Odisha News

BREAKING NEWS

ବାରବାଟି ଦିନିକିଆ ମ୍ୟାଚ୍: କାଉଣ୍ଟରରେ ଆରମ୍ଭ ହେଲା ଟିକେଟ ବିକ୍ରି

କଟକ/ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ଅବସରରେ ଷ୍ଟାଡିୟମ୍ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ଗୁରୁବାର ଆରମ୍ଭ ହୋଇଛି ।

ଷ୍ଟାଡିୟମ୍ ପରିସରରେ ପାଖାପାଖି ୧୨ କାଉଣ୍ଟରରେ ଆଜି ସକାଳ ୯ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଟିକେଟ୍ ପାଇବା ଲାଗି କ୍ରୀଡାପ୍ରେମୀମାନେ ଗତକାଲି ରାତ୍ରୀଠାରୁ କାଉଣ୍ଟର ପରିସରରେ ଲମ୍ବା ଲାଇନ୍ ଲାଗାଇଥିବା ଦେଖିବାକୁ ମିଳିଛି । ଏହି ଟିକେଟ୍ ବିକ୍ରି ସନ୍ଧ୍ୟା ୫ଟାରେ ବନ୍ଦ ହେବାକୁ ଥିବାବେଳେ ଆସନ୍ତାକାଲି ପୁଣିଥରେ କାଉଣ୍ଟରରେ ବିକ୍ରି ହେବ ।

ଅଫଲାଇନ୍ ଟିକେଟ୍ କାଉଣ୍ଟରରେ ପ୍ରାୟ ୧୦,୦୩୯ଟି ଟିକେଟ୍ ବିକ୍ରି ହେବାକୁ ଥିବା ବେଳେ ଭିଡକୁ ଦେଖି ସମସ୍ତ ଟିକେଟ୍ ପ୍ରଥମ ଦିନରେ ହିଁ ବିକ୍ରି ହୋଇଯିବ ବୋଲି ସୂଚନା ମିଳିଛି ।

ଟିକେଟ୍ ଗୁଡିକୁ ଯେପରି କେହି ବ୍ଲାକରେ ନବିକ୍ରି କରନ୍ତି, ସେଥିପାଇଁ କାଉଣ୍ଟର ପରିସରରେ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀମାନେ ମୁତୟନ ହୋଇଛନ୍ତି । ଏହାବ୍ୟତିତ କାଉଣ୍ଟର ପରିସରରେ ଭିଡକୁ ନିୟନ୍ତ୍ରଣ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅପରପକ୍ଷରେ ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରମାଣ ପତ୍ର ଦେଖାଇ କାଉଣ୍ଟରରୁ କେବଳ ୨ଟି ଟିକେଟ୍ ନେଇପାରିବେ ବୋଲି ଓଡିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଉଭୟ କ୍ରିକେଟ୍ ଟିମ୍ ଓ ଅଧିକାରୀମାନେ ଗୁରୁବାର ଦ୍ୱିପ୍ରହର ୧ଟା ବେଳେ ବିଶାଖାପାଟଣାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ପରେ ସେମାନଙ୍କୁ କଡା ସୁରକ୍ଷାବଳୟ ମଧ୍ୟରେ ଜୟଦେବ ବିହାର ସ୍ଥିତ ମେଫେୟାର ହୋଟେଲକୁ ଏକ ସ୍ୱତନ୍ତ୍ର ବସରେ ଅଣାଯିବ ।

ଏହି ୨ଟି ଟିମ୍ ଲାଗି ମୋଟ୍ ୮୫ କ୍ୟାମେରା ରିଜର୍ଭ କରାଯାଇଛି ଏବଂ ହୋଟେଲ୍ ପରିସର ଭିତରେ ଆଠ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହୋଟେଲରେ ଗୋଟିଏ ରାତି ରହିବା ପରେ ଉଭୟ ଟିମ୍ ଶୁକ୍ରବାର ଦିନ ଅଭ୍ୟାସ ଲାଗି ବାରବାଟି ଷ୍ଟାଡିୟମ୍ ଅଭିମୁଖେ ଗସ୍ତ କରିବେ । ୱେଷ୍ଟଇଣ୍ଡିଜ୍ ଦଳ ସକାଳ ୯ଟାରେ ଅଭ୍ୟାସ ଲାଗି ଷ୍ଟାଡିୟମ୍ ଅଭିମୁଖେ ଯିବାକୁ ଥିବାବେଳେ ଘରୋଇ ଦଳ ଦ୍ୱିପ୍ରହର ୨ଟା ବେଳେ ଗସ୍ତ କରିବ ।

ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ଜାତୀୟ ରାଜମାର୍ଗ ଦେଇ ବାରବାଟି ଷ୍ଟାଡିୟମକୁ ନିଆଯିବ । କୌଣସି ପ୍ରକାର ପରିସ୍ଥିତକୁ ଏଡାଇବା ଲାଗି ଏକ ବିଶେଷ କମାଣ୍ଡୋ ପୋଲିସକୁ ମଧ୍ୟ ସେମାନଙ୍କ ସହ ପଠାଯିବ ।

Leave A Reply

Your email address will not be published.