Latest Odisha News

BREAKING NEWS

ବିକାଶରୁ ବହୁ ଦୂରରେ ବରପଦରପଡ଼ା: ମିଳିପାରୁନି ମୌଳିକ ସୁବିଧା, ଆବାସ ଯୋଜନା ଏଠି ସ୍ୱପ୍ନ !

ନୂଆପଡା :  ଗାଁର ବିକାଶ ହେଲେ ସହରର ବିକାଶ ହେବ,ଏଭଳି କିଛି ଚିନ୍ତାଧାରା ନେଇ ସରକାର ଗ୍ରାମାଞ୍ଚଳର ବିକାଶ କରୁଥିବା କଥା ଡିଣ୍ଡିମ ପିଟୁଛନ୍ତି  । ହେଲେ  ଏବେବି ବିକାଶ ଠାରୁ ବହୁ ଦୂରରେ ରହିଯାଇଛି ବରପଦର ପଡ଼ା । ବିକାଶ ତ ବହୁ ଦୂରର କଥା  । ମୌଳିକ ସୁବିଧା ପାଇବା ବି ଏଠାକାର ଲୋକଙ୍କ ପାଇଁ ସାତ ସପନ ପାଲଟିଛି । ପ୍ରତି ୫ ବର୍ଷରେ ଥରେ ଏଠାରେ ନିର୍ବାଚନ ହେଉଛି , ନେତା ବଦଳୁଛନ୍ତି  । ହେଲେ ସ୍ଥିତି ଯେମିତିକୁ ସେମିତି । ଚତୁର୍ପାଶ୍ୱରେ ଗୁରୁ ଡୁଙ୍ଗର ଓ ସୁନାବେଡା ଅଭୟାରଣ୍ୟ ଘେରି ରହିଥିବାବେଳେ ପଞ୍ଚାୟତ ମୁଖ୍ୟାଳୟ କୁ ଯିବାକୁ ହେଲେ ତିନୋଟି ନାଳ ଅତିକ୍ରମ କରି ଯିବାକୁ ପଡେ  ।

ବର୍ଷା ଦିନ କଥା ତ ନ କହିବା ଭଲ  । ମାସ ମାସ ଧରି ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇ ବିଭିନ୍ନ ସୁବିଧା ରୁ ବଞ୍ଚିତ ରହିଥାନ୍ତି ଏହି ପଡ଼ାବାସୀ  । ଗୋଟିଏ ପଟେ ବୋଡେ଼ନ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ବ୍ଲକ ରେ ବିକାଶ ର ଡିଣ୍ଡିମ ପିଟୁଥିବା ବେଳେ ବାସ୍ଥବ ଚିତ୍ର ଆଖି ଆଗରେ । ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ପାନୀୟ ଜଳ ସହ ବିଜୁଳି ର ଦେଖା ନଥିବା ବେଳେ ପଡ଼ା ବାସୀ ଙ୍କ ପାଇଁ ଆବାସ ଘର ର ନାଁ ଗନ୍ଧ ନାହିଁ । ଯାହାଫଳରେ ଝାଟିମାଟି  କୁଡ଼ିଆ ରେ ଅନ୍ଧାରୀ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ପଡ଼ାବାସୀ ।

ଗତ ଦୁଇ ତିନି ବର୍ଷ ପୂର୍ବେ ସୋଲାର ମାଧ୍ୟମରେ ଲାଇଟ ର ବ୍ୟବସ୍ଥା ହୋଇଥିଲା ସତ ହେଲେ ଗୋଟିଏ ସପ୍ତାହ ନଯାଉଣୁ ତାହା ଖରାପ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ । ପିଇବା ପାଣିର ବ୍ୟବସ୍ଥା ନଥିବାରୁ ନାଳ ପାଣି କିମ୍ବା ଝରଣା ପାଣି ହିଁ ଏକମାତ୍ର ଭରସା । ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବା ପାଇଁ ତିନୋଟି ଛୋଟ ବଡ଼ ନଦୀନାଳ ପଡୁଥିବା ରୁ ଛଅ ମାସ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ ରୁହନ୍ତି ଗାଁର ବୃଦ୍ଧବୃଦ୍ଧା ଙ୍କ ସହ ପିଡ଼ିଏସ ହିତାଧିକାରୀ ।

ମାସମାସ ଧରି ଅଙ୍ଗନବାଡି ସେବା ରୁ ବଂଚିତ ରୁହନ୍ତି ପଡ଼ା ରେ କୋମଲମତି ଶିଶୁ ଙ୍କ ସହ ଗର୍ଭବତୀ ମାଁ । ଏନେଇ ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ହୋଇଥିଲେ ହେଁ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ଙ୍କ କୌଣସି ଦୃଷ୍ଟି ପଡୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି  । ଅନ୍ୟପଟେ ଘଟଣାକୁ ନେଇ ବୋଡେ଼ନ ବ୍ଲକ ବିଡ଼ିଓ କହିଛନ୍ତି ବରପଦର ପଡ଼ାରେ ଯାହା କିଛି ସମସ୍ୟା ରହିଛି , ଖୁବ୍ ଶୀଘ୍ର ଆମେ ସମାଧାନ କରିବୁ । ତେବେ କେବେ ଏହି ପଡ଼ାରେ ବିକାଶର ସୂର୍ଯ୍ୟ ଉଦୟ ହେଉଛି , ତାହା ଦେଖିବାର କଥା  ।

 

Leave A Reply

Your email address will not be published.