Latest Odisha News

BREAKING NEWS

୪୦ ଉପରେ ୨୫ ସହର, ୪୪ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାରିପଦା

ଭୁବନେଶ୍ୱର: ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଗତକାଲି ଭଳି ଆଜି ବି ରାଜ୍ୟର ଉତ୍ତପ୍ତ ସହର ହେଉଛି ବାରିପଦା । ବାରିପଦାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୧୦ ସହରର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିଛି ।

ଆଜି ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ, ତାଳଚେରରେ ୪୨.୬ ଡିଗ୍ରୀ, ବୌଦ୍ଧ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ, ସମ୍ବଲପୁର ଓ ବଲାଙ୍ଗିରରେ ୪୨.୨ ଡିଗ୍ରୀ, ଅନୁଗୁଳ ଓ ସୋନପୁରରେ ୪୨.୧ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ପାରଦ ୪୨ ଡିଗ୍ରୀ ରେକର୍ଡ ହୋଇଛି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ଯଥାକ୍ରମେ ୪୧.୨ ଡିଗ୍ରୀ ଏବଂ ୪୦.୬ ଡିଗ୍ରୀ ରହିଛି ।

ଆସନ୍ତାକାଲି ହିଟ୍ ୱେଭ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୨ ଦିନରେ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଏହା ପରେ ପାରଦ ସାମାନ୍ୟ ଖସିପାରେ । ତଥାପି ସର୍ବୋଚ୍ଚ ଦିନ ତାପମାତ୍ରା ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିବ । କିଛି ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ ।

୧୭ ତାରିଖରେ କିଛି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୮ ଓ ୧୯ ତାରିଖ ଲାଗି ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.