Latest Odisha News

ଆସୁଛି ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଦୁର୍ବଳ ହେବା ସତ୍ତ୍ୱେ ରାଜ୍ୟର ଉପକୂଳ ଜିଳ୍ଲାରେ ବର୍ଷାର ପ୍ରଭାବ ରହିବ । ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ସେଗୁଡିକ ହେଲା, କୋରାପୁଟ, ନବରଙ୍ଗପୁର, କଳହାଣ୍ଡି, ନୂଆପଡା, ବରଗଡ, ବଲାଙ୍ଗିର, ସମ୍ଭଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ । ଏହି ୧୩ ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି । ଆଜି ସକାଳୁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି । ସେହିପରି ଟ୍ୱିନ୍ ସିଟିରେ ମଧ୍ୟ ଝିପଝିପ ବର୍ଷା ହୋଇଛି ।

ଅପରପକ୍ଷରେ ଆସନ୍ତା ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।  ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ନଜର ରଖିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.