Latest Odisha News

BREAKING NEWS

ବିଶ୍ବକପ ପୂର୍ବରୁ ଏହି ସବୁ ଷ୍ଟାଡିୟମର ନବୀକରଣ କରିବ ବିସିସିଆଇ

ମୁମ୍ବାଇ: ଭାରତରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିିସିସିଆଇ) ଅତିକମରେ ୫ଟି ପ୍ରମୁଖ ଷ୍ଟାଡିୟମର ବ୍ୟାପକ ନବୀକରଣ ଯୋଜନା କରିବାକୁ ନିଷ୍ପତ୍ତି ନେଇଛି। ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ଏହି ନବୀକରଣ ପାଇଁ ରହିଛି। ଷ୍ଟାଡିୟମ ଗୁଡ଼ିକର ସୁବିଧା ସୁଯୋଗ ଏବଂ ଭିତ୍ତିଭୂମିର ଉନ୍ନତିକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଯାହାଦ୍ୱାରା ମ୍ୟାଚରେ ଯୋଗ ଦେଉଥିବା କ୍ରିକେଟ୍ ପ୍ରେମୀଙ୍କୁ ଏକ ଉତ୍ତମ ଅନୁଭୂତି ପ୍ରଦାନ କରିପାରିବ।

ନିକଟରେ ଫେବ୍ରୁଆରି-ମାର୍ଚ୍ଚରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳା ବେଳେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ସ୍ୱଚ୍ଛ ଶୌଚାଳୟ ନଥିବାରୁ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ହାଇଦ୍ରାବାଦ, କୋଲକାତା, ମୋହାଲି ଏବଂ ମୁମ୍ବାଇ ଭଳି ଅନ୍ୟ ସ୍ଥାନଗୁଡିକ ମଧ୍ୟ ଷ୍ଟାଡିୟମରେ କ’ଣ ସବୁ ଅସୁବିଧା ରହିଛି ଏବଂ କେଉଁ କେଉଁ ସୁବିଧା ସୁଯୋଗ ରହିବା ଆବଶ୍ୟକ ତା’ଉପରେ ଚିହ୍ନଟ କରିବାକୁ କୁହାଯାଇଛି।

ନବୀକରଣ ଯୋଜନାରେ ଆଭ୍ୟନ୍ତରୀଣ ଉନ୍ନତିକରଣ, ଗଣମାଧ୍ୟମ କେନ୍ଦ୍ରର ବିକାଶ (ଦିଲ୍ଲୀ ଏବଂ କୋଲକାତାରେ), ଡିଜିଟାଲ ଏବଂ ମନୋରଞ୍ଜନ କିଓସ୍କ ସ୍ଥାପନ, ଷ୍ଟାଡିୟମରେ ଫୋଲ୍ଡେବଲ ଚେୟାରର ଉନ୍ନତିକରଣ, ଆଲୋକ ସଂଯୋଜନା, ଏବଂ ୱାଇ ଫାଇ ସିଷ୍ଟମ, ଏହା ସହିତ ଷ୍ଟାଡିୟମର ଆପର ଉନ୍ନତିକରଣ। ଏତଦବ୍ୟତୀତ, ଏହି ନବୀକରଣରେ ଶୌଚାଳୟର ନବୀକରଣ ସହିତ ପାଣି ସେବା ଏବଂ ଉନ୍ନତ ଆଲୋକ ବ୍ୟବସ୍ଥାର ମଧ୍ୟ ସମାଧାନ ଉପରେ ଗୁରୁତ୍ୱ ଦେଇଛି ବିସିସିଆଇ।

ଚଳିତ ବର୍ଷ ମୋହାଲି ବିଶ୍ୱକପର ମ୍ଯାଚର ଭେନ୍ୟୁ ତାଲିକାରେ ନାହିଁ କିନ୍ତୁ ବେଙ୍ଗାଲୁରୁ ଭଳି ଅନ୍ୟ ଷ୍ଟାଡିୟମ, ଚେନ୍ନାଇ, ଧର୍ମଶାଳା, ଗୌହାଟି, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ, ମୁମ୍ବାଇ, ଏବଂ ଅହମ୍ମଦାବାଦରେ ବିଶ୍ୱକପ ଖେଳ ଆୟୋଜନ ପାଇଁ ସର୍ଟଲିଷ୍ଟ କରାଯାଇଥିବା ସୂଚନା ରହିଛି।

ଏହି ଆଇସିସି ବିଶ୍ୱକପରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ, ଯାହା ୪୬ ଦିନ ଧରି ଚାଲିବ। ଭାରତ ଶେଷ ଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଆୟୋଜନ କରିଥିଲା।

Leave A Reply

Your email address will not be published.