ଭୁବନେଶ୍ୱର: ରାଜଧାନୀରେ ବୁଲିଲା ବିଡିଏର ବୁଲଡୋଜର। ପୁଣି ଆରମ୍ଭ ହେଲା ବେଆଇନ ଉଚ୍ଛେଦ ପ୍ରକ୍ରିୟା। ଭୁବନେଶ୍ୱର ପଟିଆ କଳାରାହାଙ୍ଗରେ ସରକାରୀ ଜମିରେ ଗଢି ଉଠିଥିବା ବେଆଇନ ଘର ଓ ଦୋକାନ ଉପରେ ଚାଲିଲା ବୁଲଡୋଜର। ସରକାରୀ ଜମିକୁ ଜବରଦଖଲ କରିଥିବା ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଘର ସମେତ କିଛି ଦୋକାନ ଘର ଭଙ୍ଗା ଯାଉଛି। ବିଡିଏ, ବିଏମ୍ସି, ଜିଏ ମିଳିତ ଭାବେ ଉଚ୍ଛେଦ କରୁଛନ୍ତି। ରେଗେଡି ବସ୍ତିରେ ଥିବା ବେଆଇନ ଘର ଓ ଦୋକାନ ଭଙ୍ଗାଯାଇଛି।
କଳାରାହାଙ୍ଗ ଅଞ୍ଚଳର ପ୍ରାୟ ୬ ଏକର ଗ୍ରାମ୍ୟ ଜଙ୍ଗଲ ଜମିକୁ ଦୀର୍ଘ ଦିନ ହେବ ବେଆଇନ ଭାବେ ଜବରଦଖଲ କରାଯାଇଥିଲା। ସେଠାରେ ଗଢ଼ି ଉଠିଥିବା ‘ରେଗେଡି ବସ୍ତି’ ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ଦୋକାନ ଓ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟିରେ ଥିବା ସମସ୍ତ ବିଭାଗ BDA, BMC, GAର ମିଳିତ ଉଦ୍ୟମରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ସେପଟେ କଳାରାହାଙ୍ଗରେ ହେଉଥିବା BDAର ଏହି ଉଚ୍ଛେଦକୁ ବରୋଧ କରି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଦୋକାନ ଉଚ୍ଛେଦକୁ ବିରୋଧ କରି ସାମ୍ନାରେ ବସିଛନ୍ତି ବସ୍ତି ଲୋକ। ସେହିପରି ମହିଳାମାନେ ହାତରେ ଦା, କାତି, ପନିକି ଧରି ଜଗି ବସିଛନ୍ତି। ଲୋକଙ୍କ ଏଭଳି ବିରୋଧକୁ ନେଇ ପୋଲିସ ଓ ରେଗେଡି ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଥିବା ବେଳେ ରଣକ୍ଷେତ୍ର ପାଲଟିଛି ଉଚ୍ଛେଦ ସ୍ଥଳ। ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ବର୍ଷ ବର୍ଷ ଧରି ରହୁଥିବା ଲୋକମାନେ ବସ୍ତି ଛାଡ଼ିକି ଯିବେନି ବୋଲି ଅଡ଼ି ବସିଛନ୍ତି। ପିଢ଼ି ପରେ ପିଢ଼ି ଆମେ ଏଠାରେ ରହିଆସୁଥିବା ବେଳେ ଏ ଜାଗା ଛାଡ଼ି କୁଆଡେ ଯିବୁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା।