ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଜିଲ୍ଲା ସବ୍ ରେଜିଷ୍ଟ୍ରାର, ଭୁବନେଶ୍ୱର, ଖଣ୍ଡଗିରି, ବାଲିଅନ୍ତା ଓ ଜଟଣୀ କାର୍ଯ୍ୟାଳୟରେ ୪ଟି ସବ୍ ପ୍ଲଟ୍ ନିୟମିତୀକରଣ ଓ ପ୍ରସ୍ତାବିତ ଲେଆଉଟ୍ ପ୍ଲାନ୍ ଅନୁମୋଦନ ସୁବିଧା ସେଲ୍ ପ୍ରତିଷ୍ଠା କରାଯାଇଛି ।
ଏହି ସେଲ୍ ସାଧାରଣ ଜନତାଙ୍କୁ ସେମାନଙ୍କ ଜମିକୁ ଉପବିଭାଜନ କରିବାକୁ ଚାହୁଁଥିବା କିମ୍ବା ଅନଧିକୃତ ଭାବରେ ଉପବିଭାଜିତ ଜମିକୁ ଘରବାରୀ କିସମରେ ପରିଣତ କରିବା ଉଦ୍ଦେଶ୍ୟରେ ନିୟମିତ କରିବାରେ ସାହାଯ୍ୟ କରିବ । ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବା ବିଡିଏ ଦ୍ୱାରା ଯୋଜନା ପ୍ରସ୍ତୁତ ଲେଆଉଟ୍ ପ୍ଲାନ୍ ଅନୁମୋଦନ ପାଇଁ ଆବେଦନ କରିବାରେ ଏହି ସେଲ୍ ସହାୟକ ହେବ ।
ଏହି ସେଲ୍ କାର୍ଯ୍ୟ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ କାର୍ଯ୍ୟ କରିବ ଏବଂ ସେଲ୍ ର ବିବରଣୀ ଏବଂ ଅବସ୍ଥାନ ବିଡିଏ (www.bda.gov.in)ର ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ କରାଯାଇଛି । ବିଡିଏ ପକ୍ଷରୁ କୁହାଯାଇଛି ଯେ, ସେଲ୍ ଗୁଡ଼ିକରେ ୨ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ସମ୍ପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ/ୟୁଏଲବିର ଅନୁମୋଦନ ବିନା ଅନଧିକୃତ ଭାବେ ଉପ-ପ୍ଲଟରେ ବିଭକ୍ତ ହୋଇଥିବା ପ୍ଲଟ୍ ଗୁଡ଼ିକରେ ନିର୍ମାଣ ଅନୁମତି ପ୍ରଦାନ ଉପରେ ରାଜ୍ୟ ସରକାର ODA Act ଅନୁଯାୟୀ ୨୦୧୫ମସିହାରେ ପ୍ରତିବନ୍ଧକ ଲଗାଇଥିଲେ । ପରବର୍ତ୍ତୀ ସମୟରେ ୨୦୧୭ ଓ ୨୦୨୨ରେ ସରକାର ଆବଶ୍ୟକ କମ୍ପାଉଣ୍ଡିଂ ଫି’ ଜମା କରି ଏଭଳି ଅନଧିକୃତ ଲେଆଉଟ୍ କୁ ନିୟମିତ କରିବା ପାଇଁ ଦୁଇଟି ଭିନ୍ନ ଭିନ୍ନ ସ୍କିମ୍ ଆଣିଥିଲେ । ଏହି ସେଲ୍ ଉକ୍ତ ଯୋଜନା ଅଧୀନରେ ସେମାନଙ୍କର ଅଣ-ଅନୁମୋଦିତ ପ୍ଲଟଗୁଡ଼ିକୁ ନିୟମିତ କରିବାକୁ ଚାହୁଁଥିବା ଆବେଦନକାରୀଙ୍କୁ ସାହାଯ୍ୟ କରିବ ।
ନିୟମିତ ଉପ-ପ୍ଲଟ୍ ଉପରେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପାଇଁ ଆବେଦନ ଉନ୍ନୟନ ଯୋଜନାରେ ନିର୍ଦ୍ଦିଷ୍ଟ ଜମି ବ୍ୟବହାର ଏବଂ ଯୋଜନା ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ଡ ନିୟମ ବା ନିୟମାବଳୀ ଅନୁଯାୟୀ ବିଚାର କରାଯିବ ଏବଂ ଏହି ପରି ଆବେଦନ ସମୟରେ ଏହିପରି ବ୍ୟବସ୍ଥା ମଧ୍ୟ ପ୍ରଯୁଜ୍ୟ ହେବ ।
Comments are closed.