Latest Odisha News

BREAKING NEWS

ଆବଶ୍ୟକ ପ୍ରମାଣପତ୍ର ନଥାଇ ଗାଡି ଗଡାଉଥିଲେ ସାବଧାନ, ଆପେ ଆପେ କଟିଯିବ ଚାଲାଣ!

ଭୁବନେଶ୍ୱର: ବାରମ୍ବାର ସଚେତନତା ଓ ବିଭିନ୍ନ ସମୟ ସୀମା ବୃଦ୍ଧି ସତ୍ତ୍ୱେ ଓଡ଼ିଶାରେ ଗାଡ଼ି ଚାଳକ ଓ ଅନ୍ୟ ଗାଡ଼ି ମାଲିକମାନେ ଟ୍ରାଫିକ୍ ନିୟମ ପାଳନ କ୍ଷେତ୍ରରେ ଅସାବଧାନତା ଅବଲମ୍ବନ କରୁଥିବା ପରି ମନେ ହେଉଛି। ବିଭିନ୍ନ ସରକାରୀ ତଥ୍ୟକୁ ବିଶ୍ଳେଷଣ କଲେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଏବେ ଏହାକୁ ଆହୁରି କଡାକଡି କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ବିନା ପ୍ରମାଣପତ୍ରରେ ଗାଡି ରାସ୍ତାରେ ଗଡୁଥିଲେ ଆଉ ଟୋଲଗେଟ ଅତିକ୍ରମ କରିଲେ ଆପେ ଆପେ ଚାଲାଣ କଟିଯିବ।

ଓଡ଼ିଶାରେ ପ୍ରାୟ ୨୫ ଲକ୍ଷ ଗାଡ଼ି ବିନା ବୈଧ ବୀମାରେ ଚାଲୁଥିବା ବେଳେ ଆଉ ତିନି ଲକ୍ଷ ଗାଡ଼ି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ ବାକି ରହିଛି। ପ୍ରଦୂଷଣ ସାର୍ଟିଫିକେଟ ନଥାଇ କିମ୍ବା ବିନା ଫିଟନେସ୍ ସାର୍ଟିଫିକେଟରେ ଗାଡ଼ିଗୁଡ଼ିକ ଗଡୁଥିବାରୁ ଏହା ସରକାରୀ ଆଇନକୁ ଫୁ’ କରିବା ସଦୃଶ ହୋଇଛି। ଯାହାକୁ ନେଇ ଏବେ ତତ୍ପରତା ଦେଖାଇବାକୁ ଯାଉଛି ପରିବହନ କମିଶନର।

ମିିଳିଥିବା ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ଏବେ ଆସନ୍ତା ମାସ ଅଗଷ୍ଟରୁ ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି। ଟୋଲ୍ ଗେଟ୍ ଦେଇ ଯାଉଥିବା ସମସ୍ତ ଗାଡ଼ିର ତଥ୍ୟ ଏକ ପୋର୍ଟାଲରେ ମିଳିବ। ଏହାପରେ ଟୋଲ୍ ଗେଟ୍ ଦେଇ ଯିବା ଦିନ ସମ୍ପୃକ୍ତ ଗାଡ଼ିର ବୈଧ କାଗଜପତ୍ର ନ ଥିଲେ ଅଟୋମେଟିକ୍ ଚାଲାଣ କଟାଯିବ ବୋଲି ଯୁଗ୍ମ ପରିବହନ କମିସନର୍ ଦୀପ୍ତିରଞ୍ଜନ ପାତ୍ର ସୂଚନା ଦେଇଛନ୍ତି।

ତେବେ ୨୦ ଲକ୍ଷ ଗାଡି ବିନା ବୀମାରେ ଚାଲୁଥିବା ବେଳେ ଦୁର୍ଘଟଣା ହେଲେ ଯାତ୍ରୀଙ୍କୁ କିଭଳି ମିଳିବ ବୀମା? ଏହି ତଥ୍ୟ ପରିବହନ ବିଭାଗ ପାଖରେ ପୂର୍ବରୁ ଉପଲବ୍ଧ ଥିଲେ ମଧ୍ୟ ସେମାନେ ନୋଟିସ୍ ପଠାଉ ନାହାନ୍ତି। ବରଂ ଜରିମାନା ଆଦାୟ ପାଇଁ ଚିନ୍ତା କରୁଛନ୍ତି। ଯଦି ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯିବ ତେବେ ସ୍ଥିତିରେ ସୁଧାର ଆସିବ ବୋଲି ସଡକ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଏବେ ବି ଲକ୍ଷାଧିକ ଗାଡ଼ି ବିଭିନ୍ନ ରୁଟରେ ବିନା ବୈଧ ବୀମା, ଫିଟନେସ୍, ପ୍ରଦୂଷଣ ପ୍ରମାଣପତ୍ର ସାର୍ଟିଫିକେଟ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିନା ଚାଲିଛି। ପ୍ରାୟ ୭ ଲକ୍ଷ ଗାଡ଼ିରେ ବୈଧ ଫିଟନେସ ନାହିଁ। ପରିବହନ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ୬୩ ଲକ୍ଷ ୯୯ ହଜାର ୭୦୭ଟି ଦୁଇ ଚକିଆ ଓ ୧୨, ୧୦, ୨୬୯ଟି ପଞ୍ଜୀକୃତ ଚାରି ଚକିଆ ଯାନ ରହିଛି।

ଟ୍ରକ୍, ବସ୍ ଓ ଅନ୍ୟାନ୍ୟ ଯାନବାହାନ ସଂଖ୍ଯା ଆହୁରି ୪, ୧୦, ୪୩୯ରେ ପହଞ୍ଚିଛି। ସେଥିମଧ୍ୟରୁ ୨୦ ଲକ୍ଷ ୩୩ ହଜାର ୫୭୦ଟି ଦୁଇ ଚକିଆ ଓ ୪ ଲକ୍ଷ ୧୫ ହଜାର ଚାରି ଚକିଆ ଯାନର ବୀମା ପ୍ରମାଣପତ୍ର ନାହିଁ। ଏମଭି ଆକ୍ଟ ୧୯୮୮ର ଧାରା ୧୪୬ ଅନୁସାରେ ବିନା ଇନସ୍ୟୁରାନ୍ସରେ ଗାଡି ଚଳାଇଲେ ୨ ହଜାର ଟଙ୍କା ଓ ଦ୍ୱିତୀୟ ଥର ଗାଡି ଚଳାଇଲେ ୪ ହଜାର ଟଙ୍କା ଜରିମାନା ଦେବାକୁ ନିୟମ ରହିଛି।

Leave A Reply

Your email address will not be published.