Latest Odisha News

BREAKING NEWS

ପ୍ରଚୁର ସୁଖ ଓ ଶାନ୍ତି ଲାଭର ଉପାୟ – କ୍ଷମା ସାଧନା

ଲେଖିକା – ଅଧ୍ୟାପିକା ଶୁଭଶ୍ରୀ ମିଶ୍ର

ପ୍ରଚୁର ସୁଖ ଓ ଶାନ୍ତି ଲାଭର ଉପାୟ – କ୍ଷମା ସାଧନା

କ୍ଷମା ସର୍ବଶ୍ରେଷ୍ଠ ମାନବୀୟ ଗୁଣ । ବର୍ତ୍ତମାନ ସମୟରେ କ୍ଷମା କରୁଥିବା ଲୋକଙ୍କୁ ହିଁ ସ୍ମାର୍ଟ ପରସନାଲିଟି ବା ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଭାବେ ପରିଗଣିତ କରାଯାଇଥାଏ । କ୍ଷମା ଦେବା ଏବଂ କ୍ଷମା ମାଗିବା ଦ୍ୱାରା ବ୍ୟକ୍ତି ନିଜର ତଥା ସମ୍ମୁଖରେ ଥିବା ବ୍ୟକ୍ତିର ମନକୁ ମଧ୍ୟ ଛୁଇଁ ପାରିଥାଏ । ପ୍ରାନିକ୍ ହିଲିଙ୍ଗ୍ ବା ଯୋଗ-ପ୍ରାଣ-ବିଦ୍ୟାରେ କ୍ଷମା ସାଧନାକୁ ବେଶ୍ ଗୁରୁତ୍ୱ ଦିଆଯାଇଛି ।

 

ବର୍ତ୍ତମାନର ଯୁଗରେ ମଣିଷ ପ୍ରବଳ ଧନ ପ୍ରାଚୁର୍ଯ୍ୟ ମଧ୍ୟରେ ରହି ଯାବତୀୟ ପାର୍ଥୀବ ସୁଖ ଉପଭୋଗ କରୁଥିଲେ ମଧ୍ୟ ମନରେ ଆନନ୍ଦ ଓ ଶାନ୍ତି ପାଇପାରୁନାହିଁ । ମନ-ହୃଦୟ ଓ ଆତ୍ମାରେ କେଉଁ ଏକ ଅଭାବବୋଧ ଜାଗି ଉଠୁଛି । ପ୍ରାଚୁର୍ଯ୍ୟତା ମଧ୍ୟରେ ରହି ମଧ୍ୟ ମଣିଷକୁ ମାନସିକ ଅବସାଦ ଗ୍ରାସୁଛି । ଏହାର ମଧ୍ୟ ଯୌକ୍ତିକ କାରଣ ରହିଛି । ମନ ବିଚଳିତ ରହିବାର ମୂଳ କାରଣ ହେଉଛି ସୂକ୍ଷ୍ମ ଶରୀରରେ ନକାରାତ୍ମକ ଚିନ୍ତାଧାରା ଭରିଯାଉଛି ।

ପରିବେଶ ତଥା ପାରିପାଶ୍ୱିକ ପରିସ୍ଥିତି ମଣିଷକୁ ବାଧ୍ୟ କରୁଛି ବିଭିନ୍ନ ନକାରାତ୍ମକ ଚିନ୍ତାଧାରାରେ ବୁଡ଼ି ରହିବାକୁ । ମଣିଷ ଇର୍ଷା, ପରଶ୍ରୀକାତରତା, ଅସହିଷ୍ଣୁତା ପରି କେତେକ ନକାରାତ୍ମକ ଭାବନା ଠାରୁ ଦୂରେଇ ରହି ପାରୁନାହିଁ । କିନ୍ତୁ ପ୍ରତ୍ୟେକ ଦିନ ଧ୍ୟାନ ମାଧ୍ୟମରେ କ୍ଷମା ସାଧନା କରିବା ଦ୍ୱାରା ମନ-ହୃଦୟ-ଶରୀର ଓ ପ୍ରାଣରେ ସକାରାତ୍ମକ ଶକ୍ତି ଠୁଳ ହୋଇଥାଏ । ଫଳରେ ନକାରାତ୍ମକ ଶକ୍ତି ହ୍ରାସ ଘଟି ମନରେ ସ୍ଥିତପ୍ରଜ୍ଞତା ସୃଷ୍ଟି କରି ଶାନ୍ତି ସ୍ଥାପନା

ହୋଇଥାଏ ।

ଦେଖିବାକୁ ଗଲେ କ୍ଷମା ସାଧନା ଏକ ପ୍ରକାରର ସୂକ୍ଷ୍ମ ପ୍ରାଣଶକ୍ତି ସମ୍ପନ୍ନ ବୈଜ୍ଞାନିକ ପ୍ରକ୍ରିୟା । ଯେଉଁ ବ୍ୟକ୍ତିର ବାକ୍ୟ ବା କ୍ରିୟା ଦ୍ୱାରା ଆମେ ଆଘାତପ୍ରାପ୍ତ ହୋଇଥାଉ, ଅଥବା କାହା ମନରେ ଅତିଶୟ ଆଘାତ ଦେଇଥାଉ ସେହି ବ୍ୟକ୍ତିବିଶେଷ ଏବଂ ଆମ ମଧ୍ୟରେ ଏକ ପ୍ରକାର ନକାରାତ୍ମକ ସଂଯୋଗ ବା ନେଗେଟିଭ୍ କର୍ଡ଼ ତିଆରି ହୋଇଯାଇଥାଏ । ତେବେ କ୍ଷମା ସାଧନା ପ୍ରକ୍ରିୟା ଦ୍ୱାରା ଏହି ସଂଯୋଗ ବା କର୍ଡ଼ଟି କଟିଯାଇଥାଏ । ପୁନର୍ବାର ଆହୁରି ଉତ୍ତମ ସମ୍ପର୍କ ଦୁଇଜଣଙ୍କ ମଧ୍ୟରେ ପ୍ରତିଷ୍ଠା ହୋଇଥାଏ ।

                                                                 

                                                                                                                              କ୍ଷମା ସାଧନାର ଉପକାରିତା
କ୍ଷମା ସାଧନା – ପାଚନଶକ୍ତିକୁ ନିୟନ୍ତ୍ରଣ କରେ
କ୍ଷମା ସାଧନା ବ୍ୟକ୍ତିର ମାନସିକ ବିସାଦର ମାତ୍ରା ହ୍ରାସ କରିଦେଇଥାଏ । ଏପରିକି ବ୍ୟକ୍ତିର ଶରୀରରେ ସୃଷ୍ଟି ହୋଇଥିବା ଗଭୀର ମାନସିକ ଅବସାଦର ପରିମାଣ କ୍ରମେ କମ୍ ହୋଇଯାଇଥାଏ । ଏମିତିକି ବିଷାଦ ସୃଷ୍ଟିକାରୀ ହରମୋନର ମାତ୍ରା ହ୍ରାସ ପାଇଯାଇଥାଏ । ଫଳରେ ହୃଦଘାତ ଓ ଡାଏବିଟିସ ପରି ରୋଗରୁ ଉପଶମ ମିଳିଥାଏ । ଏହା ବହୁ ପରିକ୍ଷୀତ ମଧ୍ୟ ।

କ୍ଷମା ସାଧନା – ମାନସିକ ବିସାଦକୁ ହ୍ରାସ କରେ
କ୍ଷମା ସାଧନା ଶରୀରରେ ପାଚନଶକ୍ତିର ନିୟନ୍ତ୍ରଣ କରିବା ସହିତ ଅସନ୍ତୁଳିତ ଶରୀରର ଓଜନକୁ ନିୟନ୍ତ୍ରଣ କରିବାରେ ବେଶ୍ ସାହାଯ୍ୟ କରିଥାଏ । ଲେଟିଂ ଗୋ ବା ସବୁ ଜିନିଷକୁ ମୁକ୍ତ କରିବାର ଗୁଣକୁ ମନ ହୃଦୟରେ ସୃଷ୍ଟି କରିଥାଏ । କ୍ଷମା ସାଧନା ମଣିଷକୁ ଦୀର୍ଘଜୀବୀ କରିଥାଏ ।

                                                         କ୍ଷମା ସାଧନା – ମନରେ ସୁଖ ଓ ଶାନ୍ତି ଭରିଦିଏ


ପ୍ରତ୍ୟେକ ଦିନ ଏବଂ ଲଗାତର ବହୁଦିନ ପର୍ଯ୍ୟନ୍ତ କ୍ଷମା ସାଧନା କରିବା ଦ୍ୱାରା ବୟସ ଛୁଇଁ ପାରିନଥାଏ । ଯେଉଁମାନେ ସହଜରେ ଅନ୍ୟମାନଙ୍କୁ କ୍ଷମା କରିପାରନ୍ତି ସେମାନେ ବହୁଦିନ ପର୍ଯ୍ୟନ୍ତ ସୁସ୍ଥ ଓ ନୀରୋଗ ଜୀବନ ଯାପନ କରିଥାଆନ୍ତି । କ୍ଷମା ସାଧନା ହେଉଛି ଏକ ଅଭ୍ୟାସ ଏହାକୁ ଦିନଚର୍ଯ୍ୟାରେ ଅନ୍ତଭୃକ୍ତ କଲେ ସମ୍ପୂର୍ଣ୍ଣ ଜୀବନ ବଦଳିଯାଇଥାଏ । ତେଣୁ ଫରଗିଭନେସ୍ ଏଣ୍ଡ ଲିଭ୍ ବା କ୍ଷମା କରନ୍ତୁ ଓ ଖୁସିର ଜୀବନ ବଞ୍ଚନ୍ତୁ ଏହାହିଁ ଜୀବନର ନିୟମ ହେବା ଆବଶ୍ୟକ ।

(ଲେଖିକା – ଅଧ୍ୟାପିକା ଶୁଭଶ୍ରୀ ମିଶ୍ର ଜଣେ ‘ଯୋଗ-ପ୍ରାଣ-ବିଦ୍ୟା’ର ସାଧିକା ବା ପ୍ରାନିକ୍ ହିଲର୍ )
ସିଡ଼ିଏ, କଟକ
ମୋ – ୭୯୮୦୫୪୯୩୯୭

Leave A Reply

Your email address will not be published.