କୋଲକାତା: ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ଭବାନୀପୁର, ସାମଶେରଗଞ୍ଜ ଓ ଜଙ୍ଗିପୁରରେ ଉପନିର୍ବାଚନ ହୋଇଛି । ସମସ୍ତଙ୍କ ନଜର ରହିଛି ଭବାନୀପୁର ଉପରେ । ଏଠାରୁ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଜଣା ପଡ଼ିବ ମମତାଙ୍କୁ ଭବାନୀପୁର ବାସିନ୍ଦା ସମର୍ଥନ ଦେଇଛନ୍ତି ନା ପ୍ରତ୍ୟାଖ୍ୟାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆସନରେ ରହିବାକୁ ହେଲେ ମମତା ବାନାର୍ଜୀଙ୍କୁ ଏହି ଉପନିର୍ବାଚନ ଜିତିବାକୁ ହେବ । ସେପଟେ ମମତା ବାନାର୍ଜୀଙ୍କ ବିଜୟ ନେଇ ଦୃଢ଼ୋକ୍ତି ଦେଖାଇଛି ତୃଣମୂଳ କଂଗ୍ରେସ । ୫୦ ହଜାର ଭୋଟ୍ ବ୍ୟବଧାନରେ ଦିଦି ବିଜୟୀ ହେବେ ବୋଲି ଟିଏମସି କହିଛି । ଭବାନୀପୁରରେ ମମତାଙ୍କ ବିପକ୍ଷରେ ବିଜେପିରୁ ପ୍ରିୟଙ୍କା ଟିବରଓ୍ୱାଲା ପ୍ରାର୍ଥୀ ହୋଇଛନ୍ତି ।
ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ । ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ସେ ପରାସ୍ତ ହୋଇଥିଲେ । ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା ଟିଏମସି । ମୁଖ୍ୟମନ୍ତ୍ରୀ ହୋଇଥିଲେ ମମତା ବାନାର୍ଜୀ । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ୬ ମାସ ଭିତରେ ତାଙ୍କୁ କୌଣସି ବିଧାନସଭା ଆସନରୁ ଜିତିବାକୁ ପଡ଼ିବ ।
Comments are closed.