Latest Odisha News

କାହା ଦଖଲକୁ ଯିବ ପିପିଲି: ଖୋଲିଲା ଇଭିଏମ୍ ପେଡ଼ି, ଆଜି ଆସିବ ରେଜଲ୍ଟ

ପୁରୀ: ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ କାହା ଦଖଲକୁ ଯିବ ପିପିଲି । ବିଜେଡି ପୁଣି ଥରେ କବଜା କରିବ ନା ବିରୋଧୀଙ୍କ ହାତକୁ ଯିବ ପିପିଲି । ଆଜି ସ୍ପଷ୍ଟ ହେବ ଉପନିର୍ବାଚନ ଜନାଦେଶ କାହା ସପକ୍ଷରେ ଯାଇଛି । କିଏ କାହାକୁ ଦେଉଛି ମାତ ? ବିଜୟ ବ୍ୟବଧାନ କେତେ ରହୁଛି ? ପିପିଲି ଉପନିର୍ବାଚନ ପାଇଁ ଆଜି ଆରମ୍ଭ ହେବ ଭୋଟ୍ ଗଣତି । କୋଭିଡ୍ ଗାଇଡଲାଇନ ଅନୁସାରେ ପୁରୀ ପେଣ୍ଠକଟାରେ କାଉଣ୍ଟିଂ କରାଯାଉଛି ।

ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଚାଲିଛି । ଏହାପରେ ଇଭିଏମ୍‌ରେ ପଡ଼ିଥିବା ଭୋଟ୍ କାଉଣ୍ଟିଂ କରାଯାଉଛି । ଦୁଇଟି ହଲ୍‌ରେ ଇଭିଏମ୍‌ ଓ ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲଟ୍ ଗଣତି ହେବ । ଇଭିଏମ୍ ପାଇଁ ଗୋଟିଏ ହଲ୍‌ରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି । ଦୁଇଟି ହଲ୍‌ରେ ୧୪ଟି ଟେବୁଲ ବ୍ୟବସ୍ଥା ହୋଇଛି । ଭୋଟ୍‌ ଗଣନା କାମରେ ନିୟୋଜିତ ରହିବେ ୬୨ଜଣ କର୍ମଚାରୀ ।

ଗଣତି ଟେବୁଲ୍‌ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ଦେଇପାରିବେ । ଦୁଇ ଡୋଜ୍ କୋଭିଡ ଟିକା ନେଇଥିବା ବ୍ୟକ୍ତି କାଉଣ୍ଟିଂ ସେଣ୍ଟରରେ ରହିପାରିବେ । ରେଜଲ୍ଟ କାଉଣ୍ଟିଂର ଭିଡିଓ କରାଯାଇ ବାହାରେ ବଡ଼ ସ୍କ୍ରିନରେ ପ୍ରଦର୍ଶନ ମଧ୍ୟ ହେବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଦିବଂଗତ ବିଧାୟର ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଛି। ୧୦ ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟଫଳ ବାହାରିବ । ବିଶେଷ କରି ତ୍ରିମୁଖୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ।

ଗତ ୩୦ ତାରିଖରେ ପିପିଲି ବିଧାନସଭା ଆସନରେ ଭୋଟ୍ ପଡ଼ିଥିଲା ମତାଧିକାର ସାବ୍ୟସ୍ତ କରିଛନ୍ତି ପିପିଲିର ମୋଟ୍ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର । ଏଥର ୭୮ ପ୍ରତିଶତ ମତଦାନ ହୋଇଛି । କାହାକୁ ନେତା ବାଛିଛନ୍ତି ପିପିଲି ବାସିନ୍ଦା ଆଜି ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.