କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ହିଂସା, ଉତ୍ତେଜନା ଏବଂ ରେକର୍ଡ ଭୋଟିଂ ହାର ସହିତ ଶେଷ ହୋଇଛି। ଗୋଟିଏ ପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ ବୋମାମାଡ଼, ଇଭିଏମ୍ ଭଙ୍ଗାରୁଜା ଏବଂ ନେତାଙ୍କ ଉପରେ ଆକ୍ରମଣ ଖବର ଆସିଥିବା ବେଳେ ଅନ୍ୟପଟେ ଭୋଟରମାନେ ଉତ୍ସାହର ସହ ବୁଥ୍କୁ ଆସି ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଥିଲେ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୯୧.୬୬ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯୩.୧୯ ପ୍ରତିଶତ ଭୋଟିଂ ହୋଇଥିଲା। ଏହାକୁ ମିଶାଇଲେ ରାଜ୍ୟରେ ମୋଟ ୯୨.୪୭ ପ୍ରତିଶତ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ମତଦାନ ବେଳେ ବହୁ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଭବାନୀପୁର ବିଧାନସଭା କ୍ଷେତ୍ରର ଏକ ବୁଥ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମୁହାଁମୁହିଁ ହୋଇଥିଲେ ଏବଂ ପରସ୍ପର ଉପରେ କଡ଼ା ଆରୋପ ଲଗାଇଥିଲେ। ସେହିପରି କାଳୀଘାଟ ଅଞ୍ଚଳରେ ଶୁଭେନ୍ଦୁଙ୍କୁ ଦେଖି ଟିଏମସି କର୍ମୀମାନେ ନାରାବାଜି କରିବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।
ନଦିଆ ଜିଲ୍ଲାର ଛପରାରେ ଏକ ବୁଥ୍ ଭିତରେ ବିଜେପି ପୋଲିଂ ଏଜେଣ୍ଟଙ୍କ ଉପରେ ଆକ୍ରମଣ ହୋଇଛି। ଦକ୍ଷିଣ ୨୪ ପ୍ରଗଣାର ବାସନ୍ତୀରୁ ବିଜେପି ପ୍ରାର୍ଥୀ ଅଭିଯୋଗ କରିଛନ୍ତି ଯେ ୨୦୦ ରୁ ଉର୍ଦ୍ଧ୍ୱ ଟିଏମସି ଗୁଣ୍ଡା ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି। ହାଓଡ଼ାରେ ଇଭିଏମ୍ ଖରାପ ଯୋଗୁଁ ଉତ୍ତେଜନା ସୃଷ୍ଟି ହେବାରୁ ପୋଲିସ ଲାଠିଚାର୍ଜ କରିଥିଲା ଏବଂ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଏହି ନିର୍ବାଚନରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ଭୂମିକାକୁ ନେଇ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ରୀୟ ଫୋର୍ସ ଏବେ ବିଜେପିର ପ୍ରାଇଭେଟ୍ ଆର୍ମି ପାଲଟିଯାଇଛି।”
ମତଦାନ ସରିବା ପରେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି ଯେ ବେଙ୍ଗଲବାସୀ ଏଥର ପରିବର୍ତ୍ତନ ପାଇଁ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, “ଲୋକେ ଏହାକୁ ଏକ ଉତ୍ସବ ଭାବେ ପାଳନ କରିଛନ୍ତି। ଟିଏମସିର ବିଦାୟ ଏବେ ସୁନିଶ୍ଚିତ। ମେ’ ୪ରେ ଦିଦି ଗଲେ, ଖେଲା ଖତମ୍।” ଏବେ ଅପେକ୍ଷା କେବଳ ୪ ତାରିଖର ଫଳାଫଳକୁ, ଯାହା ସ୍ପଷ୍ଟ କରିବ ଯେ ବେଙ୍ଗଲରେ ଦିଦିଙ୍କ ରାଜ୍ ଚାଲିବ ନା ପଦ୍ମ ଫୁଟିବ।