Latest Odisha News

BREAKING NEWS

ବିଜୟ କରିବେ କି ବଡ଼ ଖେଳ? ତାମିଲନାଡୁ ଏକଜିଟ୍ ପୋଲ୍‌ରେ ‘ଟିଭିକେ’କୁ ବମ୍ପର ଭୋଟ୍; ଜାଣନ୍ତୁ କ’ଣ କହୁଛି ପୋଲ୍ ଅଫ୍ ପୋଲ୍ସ

ଚେନ୍ନାଇ: ତାମିଲନାଡୁ ବିଧାନସଭାର ମୋଟ ୨୩୪ଟି ଆସନ ପାଇଁ ଗତ ଏପ୍ରିଲ ୨୩ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ରେକର୍ଡ ୮୫% ମତଦାନ ହୋଇଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ନଜର ମେ’ ୪ ତାରିଖରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ଫଳାଫଳ ଉପରେ ରହିଛି। ତେବେ ଫଳାଫଳ ଆସିବା ପୂର୍ବରୁ ଏକ୍ସିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ ସାମ୍ନାକୁ ଆସିଛି, ଯାହାକି ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଦେଇଛି।

ଅଧିକାଂଶ ସର୍ଭେରେ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ମେଣ୍ଟ ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରାଯାଇଥିବା ବେଳେ, କିଛି ସର୍ଭେରେ ସାଉଥ ସୁପରଷ୍ଟାର ବିଜୟଙ୍କ ନୂଆ ପାର୍ଟି ଟିଭିକେ (TVK) ମଧ୍ୟ ବଡ଼ ଧରଣର ବିପର୍ଯ୍ୟୟ ଘଟାଇବ ବୋଲି ଦର୍ଶାଯାଇଛି।

ପିପୁଲ୍ସ ଇନସାଇଟ୍ (People’s Insight): ଏହି ସର୍ଭେ ଅନୁଯାୟୀ, ଡିଏମକେ ମେଣ୍ଟକୁ ୧୨୦-୧୪୦ଟି ଆସନ, ଏଆଇଏଡିଏମକେ (AIADMK) କୁ ୬୦-୭୦ଟି ଏବଂ ସୁପରଷ୍ଟାର ବିଜୟଙ୍କ ଟିଭିକେ (TVK) କୁ ୩୦-୪୦ଟି ସିଟ୍ ମିଳିବାର ଅନୁମାନ କରାଯାଇଛି। ଏଠାରେ ପୁଣି ଡିଏମକେ ସରକାର ଗଠନ କରିବ ବୋଲି ସ୍ପଷ୍ଟ ସୂଚନା ମିଳୁଛି।

ଆକ୍ସିସ୍ ମାଇଁ ଇଣ୍ଡିଆ (Axis My India): ସବୁଠାରୁ ଚାଞ୍ଚଲ୍ୟକର ଆକଳନ ଦେଇଛି ଏହି ସଂସ୍ଥା। ଏହି ସର୍ଭେ ଅନୁଯାୟୀ, ବିଜୟଙ୍କ ଟିଭିକେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇ ୯୮ ରୁ ୧୨୦ଟି ଆସନ ଅକ୍ତିଆର କରିପାରେ। ଅନ୍ୟପକ୍ଷରେ ଶାସକ ଡିଏମକେ ୯୨-୧୧୦ ଏବଂ ଏଆଇଏଡିଏମକେ ମାତ୍ର ୨୨-୩୨ ସିଟ୍‌ରେ ସୀମିତ ରହିବାର ସମ୍ଭାବନା ରହିଛି।

ମ୍ୟାଟ୍ରିଜ୍ (MATRIZE): ଏହି ସର୍ଭେରେ ମଧ୍ୟ ଡିଏମକେ ମେଣ୍ଟକୁ ବହୁମତ ମିଳିଛି। ଡିଏମକେକୁ ୧୨୨-୧୩୨, ଏଆଇଏଡିଏମକେକୁ ୮୭-୧୧୦ ଏବଂ ଟିଭିକେକୁ ୧୦-୧୨ଟି ସିଟ୍ ମିଳିବା ନେଇ ଆକଳନ କରାଯାଇଛି।

ପ୍ରଜା ପୋଲ୍ସ (Praja Polls) ଓ ଚାଣକ୍ୟ ଷ୍ଟ୍ରାଟେଜିଜ୍ (Chanakya Strategies): ଏହି ଦୁଇଟି ସର୍ଭେ ଡିଏମକେକୁ ଏକତରଫା ବହୁମତ ଦେଇଛନ୍ତି। ପ୍ରଜା ପୋଲ୍ସ ଡିଏମକେକୁ ୧୪୮-୧୬୮ ଆସନ ଦେଇଥିବା ବେଳେ, ଚାଣକ୍ୟ ଷ୍ଟ୍ରାଟେଜିଜ୍ ୧୪୦-୧୬୦ଟି ଆସନ ଦେଇଛି।

ଜେଭିସି (JVC) ଓ ଜନ କି ବାତ୍ (Jan Ki Baat): ଡିଏମକେ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି ଏହି ଦୁଇ ସଂସ୍ଥା। ଏମାନଙ୍କ ଆକଳନ ଅନୁଯାୟୀ, ବିରୋଧୀ ଏଆଇଏଡିଏମକେ (AIADMK) ୧୨୮ ରୁ ୧୪୭ ସିଟ୍ ହାସଲ କରି ସରକାର ଗଠନ କରିପାରେ ଏବଂ ଡିଏମକେକୁ ୭୫ ରୁ ୯୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

କହିବାକୁ ଗଲେ ତାମିଲନାଡୁ ରାଜନୀତିରେ ଏଥର ଏକ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏକାଧିକ ସର୍ଭେ ସଂସ୍ଥାର ଭିନ୍ନ ଭିନ୍ନ ମତ ଏବଂ ଅଭିନେତା ବିଜୟଙ୍କ ଦଳର ଏଣ୍ଟ୍ରି, ନିର୍ବାଚନ ଫଳାଫଳକୁ ଆହୁରି ରୋଚକ କରିଦେଇଛି।

Leave A Reply

Your email address will not be published.