Latest Odisha News

BREAKING NEWS

ପଚୁଛି ପଛେ ଆଳୁ ଛାଡୁନାହାନ୍ତି ଦିଦି: ତାତିଲେ ବ୍ୟବସାୟୀ, କହିଲେ ‘ଏଠି ବି ବନ୍ଦ’

କୋଲକାତା: ମମତା ସରକାରଙ୍କ ଗୋଟିଏ ନିଷ୍ପତ୍ତି ଏବେ ତାଙ୍କ ଉପରେ ଭାରି ପଡିଛି । କୌଣସି ରାଜ୍ୟକୁ ଆଳୁ ନଦେବା ପାଇଁ ଯେଉଁ ଘୋଷଣା କରିଥିଲେ ଏବେ ସେହି ଫାସରେ ଫସିଯାଇଛନ୍ତି ମମତା । ଆଳୁ ରପ୍ତାନୀ କମିବାରୁ ରାଜ୍ୟରେ ଆଳୁ ଚାହିଦା ମଧ୍ୟ କମିଛି । ଫଳରେ ଶୀତଳ ଭଣ୍ଡାରରେ ଆଳୁ ପଚିବାକୁ ଆରମ୍ଭ ହେଲାଣି । ଆଉ ବାଧ୍ୟ ହୋଇ ଶସ୍ତାରେ ବିକିବାରୁ କ୍ଷତି ସହୁଛନ୍ତି ।

ଯେଉଁ କାରଣରୁ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ କରିବା ପାଇଁ ଗତକାଲି ଆଳୁ ବ୍ୟବସାୟୀ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ  ହେବାରୁ, ଏହାର ଜବାବରେ ଆଳୁ ବ୍ୟବସାୟୀମାନେ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି କରିବାରେ ସରକାରଙ୍କ କଟକଣାକୁ ବିରୋଧ  କରି ଆଜିଠୁ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି । ଯାହାର ପ୍ରଭାବ ସିଧା ସ୍ଥାନୀୟ ବଜାରରେ ଆଳୁ ଉପରେ ପଡିବା ନେଇ ଆଶଙ୍କା ସୃଷ୍ଟି କରିଛି ।

ତେବେ ଏବେ ପଶ୍ଚିମବଙ୍ଗରେ ଆଳୁର ମୂଲ୍ୟ କିଲୋଗ୍ରାମ ପ୍ରତି ୩୫ ରୁ ୪୦ ପାଖାପାଖି ବୃଦ୍ଧି ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବା ପାଇଁ କଟକଣା ଜାରି କରିଥିଲେ । ଯାହାକୁ ନେଇ ଗତ ୫ ଦିନ ହେବ ପଶ୍ଚିମବଙ୍ଗ ସରକାର ପଡୋଶୀ ରାଜ୍ୟ ସୀମାରେ ଚେକ୍‌ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକୁଛନ୍ତି । ଖାଲି ଓଡିଶା ନୁହେଁ ବିହାର, ଝାଡଖଣ୍ଡ ଭଳି ଅନେକ ରାଜ୍ୟକୁ ପଶ୍ଚିମବଙ୍ଗର ଆଳୁ ଯାଇ ପାରି ନଥିବାରୁ ସେଠାରେ ମଧ୍ୟ ଆଳୁ ସଙ୍କଟ ଉପୁଜିଛି । ଆଉ ଏପଟେ ଆଳୁ ରପ୍ତାନୀ ନ ହେଉଥିବାରୁ ଷ୍ଟୋରରେ ଆଳୁ ପଚିବା ଆରମ୍ଭ କଲାଣି । ବିଭିନ୍ନ ଶୀତଳଭଣ୍ଡାର ମାଲିକ ମାନେ କ୍ଷତି ସହୁଥିବାରୁ ଆଳୁ ବ୍ୟବସାୟୀ ସଂଘ ପ୍ରେସମିଟ୍ ଜରିଆରେ ସମସ୍ତ ସୀମାରୁ କଟକଣା ହଟାଇବାକୁ ଦାବି କରିଛି । ଆଜି ସୁଦ୍ଧା ମମତା ସରକାର ଯଦି ସୀମାରେ କଟକଣା  ନ ଉଠାଇଲେ, ମଧ୍ୟରାତ୍ରିରୁ ସମସ୍ତ ଶୀତଳଭଣ୍ଡାରରୁ ନିଜ ରାଜ୍ୟକୁ ବି ଆଳୁ ବନ୍ଦ କରାଯିବ ବୋଲି ପ୍ରେସମିଟ୍ କରି ଚେତାବନୀ ଦେଇଛି ପଶ୍ଚିମବଙ୍ଗ ବ୍ୟବସାୟୀ ସଂଘ ।

ଏହାକୁ ନେଇ ପଶ୍ଚିମବଙ୍ଗ କୃଷି ବ୍ୟବସାୟ ମନ୍ତ୍ରୀ କହିଛନ୍ତି, ଆମେ ବ୍ୟବସାୟୀମାନଙ୍କୁ ପ୍ରଥମେ ଧର୍ମଘଟ ବନ୍ଦ କରିବାକୁ ଅନୁରୋଧ କରିଛୁ। ସରକାର ସେମାନଙ୍କ ଦାବି ଉପରେ ଆଲୋଚନା କରିବା ପାଇଁ ରାଜି ଅଛନ୍ତି । ହେଲେ ଯେତେବେଳେ ପଶ୍ଚିମବଙ୍ଗ ଲୋକମାନେ ଆଳୁ ଦରର ଉଚ୍ଚ ମୂଲ୍ୟ ପାଇଁ ସଂଘର୍ଷ କରୁଛନ୍ତି, ସେତେବେଳେ ଆମେ କିପରି ରପ୍ତାନିକୁ ଅନୁମତି ଦେବୁ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଏଥିସହିତ ରାଜ୍ୟ ବଜାରକୁ ଅସ୍ଥିର କରିବା ପାଇଁ କେହି ଏଭଳି କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ ।

Comments are closed.