Latest Odisha News

BREAKING NEWS

ବଙ୍ଗାଳୀ ଶ୍ରମିକ ହତ୍ୟା ମାମଲା: ମମତାଙ୍କ ଅଭିଯୋଗ ଭିତ୍ତିହୀନ କହିଲେ ମନମୋହନ ସାମଲ

ଭୁବନେଶ୍ବର: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକଙ୍କୁ ପିଟିପିଟି ମାରିଦେବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଓଡ଼ିଶାରେ ହେଉ ଅବା ପଶ୍ଚିମବଙ୍ଗରେ ଦେଶର କେଉଁଠି ବି ଶ୍ରମିକଙ୍କ ଉପରେ ନିର୍ଯାତନା ଗ୍ରହଣୀୟ ନୁହେଁ । ମାନବାଧିକାରକୁ ଉଲ୍ଲଙ୍ଘନ କରିବା ଠିକ୍ ନୁହେଁ । ଏହା ବିରୋଧୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ।

ମମତାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ, ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗରେ ନିର୍ବାଚନ ଥିବା କାରଣରୁ ମମତା ଅଯଥା ବିଳିବିଳି ହେଉଛନ୍ତି । ତାଙ୍କର ଅଲଗା କିଛି ଉଦ୍ଦେଶ୍ୟ ଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକ ମୃତ୍ୟୁ ମାମଲାରେ ପଶ୍ଚିମବଙ୍ଗ ପୋଲିସ ଜିରୋ ଏଫଆଇଆର ରୁଜୁ କରିଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଡିସେମ୍ବର ୨୪ରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହୃଦୟବିଦାରକ ଘଟଣା ବୋଲି କହିଥିଲେ ମମତା । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି, ପ୍ରତ୍ୟେକ ବିଜେପି ଶାସିତ ରାଜ୍ୟରେ ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ଉପରେ ହୋଇଥିବା ନିଷ୍ଠୁର ଅତ୍ୟାଚାର ଏବଂ ନିର୍ଯାତନାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଆମେ ନିର୍ଯାତିତ ପ୍ରବାସୀ ବଙ୍ଗାଳୀ ଭାଷାଭାଷୀ ପରିବାରଙ୍କ ସହିତ ଠିଆ ହୋଇଛୁ ଏବଂ ପରିବାରଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବୁ ।

ସମ୍ବଲପୁରରେ ଶ୍ରମିକ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ତଥାପି, ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ‘ଜିରୋ ଏଫ୍‌ଆଇଆର୍‌’ ରୁଜୁ କରାଯାଇ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ସମ୍ବଲୁପର ପଠାଯାଇଛି ।

Leave A Reply

Your email address will not be published.