Latest Odisha News

BREAKING NEWS

ସୋସିଆଲ ମିଡିଆରେ ‘ବ୍ରାହ୍ମଣ ଜିନ୍‌’ : ଗାଳି ଓ ତାଳି

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ସୃଷ୍ଟି ହୋଇଛି ଝଡ । ଝଡର କାରଣ ହେଉଛି ବ୍ରାହ୍ମଣ ଜିନ୍ ଶୀର୍ଷକ ଏକ ପୋଷ୍ଟ । ଜଣେ ମହିଳା ଉଦ୍ୟୋଗୀଙ୍କ ବ୍ରାହ୍ମଣ ଜିନ୍ ପୋଷ୍ଟ ସୃଷ୍ଟି କରିଛି ବିବାଦ ଓ ବିତର୍କ । ବେଙ୍ଗାଲୁରୁର ଏକ କଟେଂଟ୍ ମାର୍କେଟିଂ କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଅନୁରାଧା ତିୱାରୀ ସୋସିଆଲ ମିଡିଆ ଏକ୍ସରେ ନିଜର ଏକ ଫୋଟ ପୋଷ୍ଟ କରିଥିଲେ । ଫଟୋରେ ପଇଡ ପାଣି ପିଉଥିବା ଅବସ୍ଥାରେ ମସଲ୍ସ ଦେଖାଇଛନ୍ତି ଅନୁରାଧା  । ବିବାଦ ଫଟୋକୁ ନେଇ ନୁହେଁ ।  ଫଟୋର କ୍ୟାପସନକୁ ନେଇ ବିବାଦ । କ୍ୟାପସନରେ ଅନୁରାଧା ଲେଖିଛନ୍ତି ବ୍ରାହ୍ମଣ ଜିନ୍ । ଅନୁରାଧାଙ୍କ ପୋଷ୍ଟକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ବିବାଦ, କଥା କଟାକଟି । ଅନୁରାଧାଙ୍କ ବ୍ରାହ୍ମଣ ଜିନ୍‌ ପୋଷ୍ଟ ଭେଦଭାବପୂର୍ଣ୍ଣ ଓ  ସଂରକ୍ଷଣ ବିରୋଧୀ ବୋଲି ଅନେକ ସମାଲୋଚନା କରିଛନ୍ତି ।

ଗାଳି ଓ ତାଳି ମଧ୍ୟରେ ଅନୁରାଧାଙ୍କ ଜବାବ

ନିଜର ବ୍ରାହ୍ମଣ ଜିନ୍ ପୋଷ୍ଟକୁ ସମାଲୋଚନା ଓ ସମର୍ଥନ ମଧ୍ୟରେ ସୋସିଆଲ ମିଡିଆରେ ମତ ରଖିଛନ୍ତି ଅନୁରାଧା । ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ, ଆଜିକାଲି ବ୍ରାହ୍ମଣମାନେ ନିଜର ପୂରା ନାଁ ପ୍ରକାଶ କରିବାକୁ ଭୟ କରୁଛନ୍ତି । ସୋସିଆଲ୍ ଆକ୍ଟିଭିଷ୍ଟ ଓ ରାଜନେତାମାନେ ବ୍ରାହ୍ମଣଙ୍କୁ ଭିଲେନ୍ କରିଦେଲେଣି । ଆମେ କାହାର କ୍ଷତି କରୁନୁ । ଆମେ ସରକାରଙ୍କଠାରୁ କୌଣସି ସାହାଯ୍ୟ ପାଉନୁ । ଆମେ କଠୋର ପରିଶ୍ରମ କରୁଛୁ । ଆମ ଜାତିକୁ ନେଇ କାହିଁକି ଲଜ୍ଜିତ ହେବୁ ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ଅନୁରାଧା । ଆହୁରି ମଧ୍ୟ ଲେଖିଛନ୍ତି ଯେ, ବ୍ରାହ୍ମଣ ଶବ୍ଦର ଉଲ୍ଲେଖ ମାତ୍ରେ କିଛି ହୀନ ଭାବନା ଜାଗ୍ରତ ହୋଇଯାଉଛି । ଏହି ଭାବନା ହିଁ ପ୍ରମାଣିତ କରୁଛି ଯେ, ଅସଲ ଜାତିବାଦୀ କିଏ ।

ଅନୁରାଧାଙ୍କ ବ୍ରାହ୍ମଣ ଜିନ୍ ପୋଷ୍ଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୫୦ ଲକ୍ଷରୁ ଅଧିକ ଥର ଏହି ପୋଷ୍ଟ ଦେଖାଯାଇସାରିଲାଣି । ନିଜ ପ୍ରୋଫାଇଲରେ ୱାନଫ୍ୟାମିଲି ୱାନ ରିଜର୍ଭେସନ ହ୍ୟାସଟାଗ୍ ରଖିଛନ୍ତି । ସ୍ପଷ୍ଟ ଯେ, ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରନ୍ତି ଅନୁରାଧା । ଏ ନେଇ ସେ ଆଗରୁ ମଧ୍ୟ ସୋସିଆଲ ମିିଡିଆରେ ଅନେକ ପୋଷ୍ଟ କରିଛନ୍ତି ।

ପ୍ରତିକ୍ରିୟା ରଖିଲେ ଚେତନ ଭଗତ

ଅନୁରାଧାଙ୍କ ବ୍ରାହ୍ମଣ ଜିନ୍ ପୋଷ୍ଟକୁ କିଛି ନାପସନ୍ଦ ଓ କିଛି ସମର୍ଥନ କରିଛନ୍ତି । ଏଣେ ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଲେଖକ ଚେତନ ଭଗତ । ଯେତେଥର ଜାତି ପ୍ରସଙ୍ଗ ଉଠିବ, ହିନ୍ଦୁ ଭୋଟ୍ ସେତେ ପ୍ରଭାବିତ ହେବ । ବିରୋଧୀମାନେ ଏହା ବୁଝିସାରିଲେଣି । ଏପରିକି ବ୍ରାହ୍ମଣ ଜିନ୍ ଟ୍ରେଣ୍ଡ୍ ଦ୍ୱାରା ହିନ୍ଦୁ ଭୋଟ୍‌୍ ବିଭାଜନ ହେବ । ଲୋକେ ଏହା ବୁଝିପାରୁଛନ୍ତି କି ନାହିଁ , ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି ଏକ୍ସରେ କହିଛନ୍ତି ଚେତନ ଭଗତ । ଭଗତଙ୍କ ପୋଷ୍ଟ ମଧ୍ୟ ଜାତିବାଦୀ ବୋଲି କେତେକ ମତ ଦେଇଛନ୍ତି ।

ଭଗତଙ୍କୁ ଅନୁରାଧାଙ୍କ ପ୍ରଶ୍ନ

ବ୍ରାହ୍ମଣଙ୍କ ବିରୋଧରେ ଘୃଣା କଣ ହିନ୍ଦୁମାନଙ୍କୁ ଏକାଠି କରିବ କି ବୋଲି ଭଗତଙ୍କ ପୋଷ୍ଟ୍ ପରେ ପ୍ରଶ୍ନ କରିଛନ୍ତି ଅନୁରାଧା । ସଂରକ୍ଷଣ କଣ  ହିନ୍ଦୁଙ୍କୁ ଏକାଠି କରୁଛି କି । ବ୍ରାହ୍ମଣମାନଙ୍କ ପାଇଁ ହିନ୍ଦୁ ଏକତା କାହିଁକି ବିପଦରେ ପଡିବ ବୋଲି ଅନୁରାଧା ଚେତନ ଭଗତଙ୍କୁ ପ୍ରଶ୍ନ କରିଛନ୍ତି ।

ଅନୁରାଧା ତିୱାରୀଙ୍କ ବ୍ରାହ୍ମଣ ଜିନ୍ ପୋଷ୍ଟ ସୋସିଆଲ ମିଡିଆରେ ଜାତି ଓ ସଂରକ୍ଷଣ ବିତର୍କକୁ ସରଗରମ କରିଛି ।

 

 

Comments are closed.