ବେଙ୍ଗାଲୁର: ଆଇପିଏଲ ୨୦୨୬ର ରୋମାଂଚ ବଢ଼ିବାରେ ଲାଗିଛି । ଆଉ କିଛି ମ୍ୟାଚ ପରେ କେଉଁ ଦଳ ପ୍ଲେ ଅଫରେ ପ୍ରବେଶ କରି ତାହା ସ୍ପଷ୍ଟ ହୋଇଯିବ । ମେ ୩୧ରେ ଫାଇନାଲ ମ୍ୟାଚ ଖେଳାଯିବ । ଗତ ସଂସ୍କରଣର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଘରୋଇ ପରିବେଶରେ ଫାଇନାଲ ମ୍ୟାଚ ଖେଳିବା ନେଇ ଆଶାୟୀ ରହିଛି । ବିସିସିଆଇ ଏ ପର୍ଯ୍ୟନ୍ତ ପ୍ଲେ ଅଫ ମୁକାବିଲାର କାର୍ଯ୍ୟସୂଚୀ ଘୋଷଣା କରିନି । ତେବେ ଫାଇନାଲ ଏବଂ ଅନ୍ୟ ଏକ ପ୍ଲେ ଅଫ ମ୍ୟାଚ ବେଙ୍ଗାଲୁରର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବା ସମ୍ଭାବନା ଅଧିକ ରହିଛି । ଆଇପିଏଲର ବିଜେତା ଟିମର ପଡିଆରେ ପ୍ରାୟତଃ ଫାଇନାଲ ମ୍ୟାଚ ଖେଳାଯାଉଛି ।
ରିପୋର୍ଟ ମୁତାବକ ଏକ ବିବାଦୀୟ ପରିସ୍ଥିତି ଯୋଗୁ ବେଙ୍ଗାଲୁରରେ ଫାଇନାଲ ମ୍ୟାଚ ଖେଳାଯାଇ ନ ପାରେ । ଅବଶ୍ୟ ଏଥିପାଇଁ ଗତ ସଂସ୍କରଣର ଅଘଟଣ କାରଣ ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଚଳିତ ସଂସ୍କରଣରେ ଯେତେବେଳେ ଷ୍ଟାଡିୟମରେ ମ୍ୟାଚ ଆୟୋଜନ ପାଇଁ ଅନୁମତି ମିଳିଲା ସେତେବେଳେ କର୍ଣ୍ଣାଟକର ଜଣେ ବିଧାୟକଙ୍କ ଦାବୀ ସମସ୍ୟା ସୃଷ୍ଟି କରିଛି । ସେ ସମସ୍ତ ବିଧାୟକଙ୍କୁ ୫ଟି ଫ୍ରି ଟିକେଟ ଦେବା ପାଇଁ ଦାବୀ କରିଛନ୍ତି । କେଏସସିଏର ଅଧ୍ୟକ୍ଷ ଭେଙ୍କେଟେଶ ପ୍ରସାଦ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ ଏ ନେଇ ସାକ୍ଷାତ କରିଛନ୍ତି । ଯଦି ସମାଧାନର ରାସ୍ତା ନ ମିଳେ ତେବେ ମ୍ୟାଚ ଆୟୋଜନ ନେଇ ସମସ୍ୟା ସୃଷ୍ଟି ହୋଇପାରେ । ରିପୋର୍ଟରେ ବିଧାୟକଙ୍କୁ ୩ଟି ଫ୍ରି ଟିକେଟ ଦେବା ପାଇଁ କୁହାଯାଇଛି । ଯାହାକୁ ପ୍ରସାଦ ଗ୍ରହଣ କରି ନେଇଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ବିସିସିଆଇ କିମ୍ବା କେଏସିଏ ପକ୍ଷରୁ କୌଣସି ଅଫିସିଆଲ ବୟାନ ଜାରୀ କରାଯାଇ ନାହିଁ ।