Latest Odisha News

ବ୍ରହ୍ମପୁର ଲୋକସଭା: ଭୃଗୁଙ୍କୁ ଟିକେଟ୍ ଦେଲା ବିଜେଡି, ସାମ୍ନାରେ ଅଛନ୍ତି ବିଜେପିର ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ମଧ୍ୟାହ୍ନରେ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସଂଧ୍ୟାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ତାଙ୍କୁ ପ୍ରାର୍ଥୀ କରିନଥିବାରୁ ସେ ବିଜେପି ଛାଡିଥିବା ଚର୍ଚ୍ଚା ହେଉଛି। ଏବେ ସେ ପ୍ରାର୍ଥୀ ହେବା ପରେ ତାଙ୍କ ସାମ୍ନାରେ ଅଛନ୍ତି ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ।

ସେହିପରି ଦଳ ଅନ୍ୟ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ନିଜର ପ୍ରାର୍ଥୀ ଘୋଷଣା କରିଛି। ବଲାଙ୍ଗୀର ପାଇଁ ସୁରେନ୍ଦ୍ର ସିଂ ଭୋଇ । ଭଦ୍ରକ ପାଇଁ ମଞ୍ଜୁଲତା ମଣ୍ଡଳ। ସେହିପରି ବରଗଡ଼ ପାଇଁ ପରିଣୀତା ମିଶ୍ର (ଟିକେଟ୍ ଘୋଷଣାର କେଇ ମିନିଟ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ)। କେନ୍ଦୁଝର ପାଇଁ ଧନୁର୍ଜୟ ସିଦ୍ଧୁ ।

ତେବେ ଭଦ୍ରକର ବର୍ତ୍ତମାନର ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଥିବା ବେଳେ ବ୍ରହ୍ମପୁରର ଚନ୍ଦ୍ରଶେଖର ସାହୁ ଓ କେନ୍ଦୁଝରର ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇ ନାହିଁ।

କଂଗ୍ରେସର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଛନ୍ତି। ସେ କଳିକେଶ ସିଂହଦେଓଙ୍କ ସ୍ଥାନରେ ବଲାଙ୍ଗୀର ଆସନରେ ପ୍ରାର୍ଥୀ ହୋଇଥିଲେ।

କାର ଦୁର୍ଘଟଣାରୁ ସୁସ୍ଥ ହେବା ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼ରୁ ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଥିଲେ ମଧ୍ୟ ଦଳ ପରିଣୀତା ମିଶ୍ରଙ୍କୁ ଚୟନ କରିଛି। ସେ ଜଣେ ମହିଳା ସମାଜସେବୀ ଭାବରେ ତାଙ୍କର ପରିଚୟ ରଖିଛନ୍ତି।

ଏବେ ବାଲେଶ୍ୱର ବ୍ୟତୀତ ଅନ୍ୟ ସମସ୍ତ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ରହିଛି। ମାର୍ଚ୍ଚ ୨୭ରେ ପ୍ରକାଶିତ ପ୍ରଥମ ତାଲିକାରେ ୯ ଜଣ ପ୍ରାର୍ଥୀ ଥିବା ବେଳେ ଦ୍ୱିତୀୟ ତାଲିକାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ (ପୁରୀ) ଓ ସନ୍ତୃପ୍ତ ମିଶ୍ର (କଟକ)ଙ୍କ ଭଳି ଉଲ୍ଲେଖନୀୟ ବ୍ୟକ୍ତିଙ୍କ ନାମ ଥିଲା।

Comments are closed.