Latest Odisha News

୧୦୮/୧୦୪ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଏଣିକି ୧୦୮ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ । କେବଳ ୧୦୮ ନୁହେଁ ୧୦୪ ମଧ୍ୟ କରୋନା ରୋଗୀ ହସ୍ପିଟାଲ ଯିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ନନେବା ଘଟଣାକୁ କେନ୍ଦ୍ର କରି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଟୁଇଟରେ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି, ପୂର୍ବରୁ ଏହା ସ୍ପଷ୍ଟ କରାଯାଇଥିଲା କି କରୋନା ଲକ୍ଷଣ ଥିବା ରୋଗୀଙ୍କୁ ୧୦୮/୧୦୪ ଆମ୍ବୁଲାନ୍‌ସରେ ନିଆଯାଇ ପାରିବ। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ପୁନର୍ବାର ଆଜି ଆମେ ଏହାକୁ ଆଉ ଥରେ ସ୍ପଷ୍ଟ କରି କହୁଛୁ ଯେ କେରୋନା ଲକ୍ଷଣ ଥିବା ରୋଗୀଙ୍କୁ ହସ୍‌ପିଟାଲ ପର୍ଯ୍ୟନ୍ତ ୧୦୮/୧୦୪ ଆମ୍ବୁଲାନ୍‌ସରେ ସହଜରେ ଲୋକମାନେ ନେଇ ପାରିବେ। ଏଥିସହିତ ଆମର ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ସମର୍ଥନ କରିବା ସହ ସେମାନଙ୍କ ସହ ଅସଦାଚରଣ ନ କରିବାକୁ ଅନୁରୋଧ କରୁଛୁ ।

ଉଲ୍ଲେଖଯୋଗ୍ୟ, ସୋମବାର ପ୍ରହଲ୍ଲାଦ ନଗରର ବାସିନ୍ଦା ମନୋଜ ପ୍ରହରାଜ ମଧୁମେହରେ ପୀଡିତ ହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଅମ୍ବୁଲାନ୍‌ସକୁ ଡକା ଯାଇଥିଲା। ଖବର ପାଇ ଆମ୍ବୁଲାନ୍‌ସ ବି ଘଟଣାସ୍ଥଳରେ ଆସି ପହଞ୍ଚିଥିଲା। କିନ୍ତୁ ମନୋଜ ପ୍ରହରାଜ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଭାବି ଆମ୍ବୁଲାନ୍‌ସ ଚାଳକ ଓ ତାଙ୍କ ସହିତ ଆସିଥିବା ଅନ୍ୟ କର୍ମଚାରୀ ତାଙ୍କୁ ନେବା ପାଇଁ ମନା କରି ଦେଇଥିଲେ। ପ୍ରହରାଜଙ୍କୁ ନେବା ପାଇଁ ୧୦୪ ହେଲ୍‌ପଲାଇନକୁ ଫୋନ କର ଓ କୋଭିଡ ଆମ୍ବୁଲାନ୍‌ସକୁ ଡକାଅ ବୋଲି କହି ଘଟଣାସ୍ଥଳରୁ ଚାଲି ଯାଇଥିଲା ଆମ୍ବୁଲାନ୍‌ସ। ଏହାପରେ ଛଟପଟ ହୋଇ ପ୍ରହରାଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

Comments are closed.