Latest Odisha News

BREAKING NEWS

Sudhir Patra Case: ମୃତ୍ୟୁ ପୂର୍ବର ଭିଡିଓ ବଖାଣୁଛି ନିର୍ମମତାର କାହାଣୀ: କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଗୁମର ଖୋଲିଲା ସୁଟର୍ ଅଭିଯୁକ୍ତ

ବ୍ରହ୍ମପୁର: ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଏକାଧିକ ସାଂଘାତିକ ତଥ୍ୟ। ରବିବାର ପୋଲିସ ପକ୍ଷରୁ କରାଯାଇଥିବା ‘କ୍ରାଇମ୍ ସିନ୍ ରିକ୍ରିଏସନ୍’ ସମୟରେ ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା ହୋଇଛି, ଯାହା ସମଗ୍ର ତଦନ୍ତ ପ୍ରକ୍ରିୟାକୁ ଏକ ନୂଆ ଦିଗ ଦେଇଛି। ଏହି ଅପହରଣ ଓ ହତ୍ୟାକାଣ୍ଡରେ ଗୋଟିଏ ନୁହେଁ, ବରଂ ଦୁଇଟି ବନ୍ଧୁକର ବ୍ୟବହାର କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି।

ପୋଲିସ ରିମାଣ୍ଡରେ ଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ତଥା ବିହାରରୁ ଆସିଥିବା କଣ୍ଟ୍ରାକ୍ଟ କିଲର୍ ସୂର୍ଯ୍ୟ ପ୍ରତାପ ସିଂହ ଓରଫ କାଳୁ କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ପୋଲିସ ଆଗରେ ସବୁ ସତ ଓଗାଳିଛି। ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅପହରଣ ପରେ ସୁଧୀରଙ୍କୁ ବନ୍ଧୁକ ମୁନରେ ରଖି ମୃତ୍ୟୁର ଭୟ ଦେଖାଇଥିଲେ ଅଭିଯୁକ୍ତ। ଏତିକିରେ ସେମାନଙ୍କ ନିର୍ଦ୍ଦୟତା ଅଟକି ନଥିଲା; ସୁଧୀରଙ୍କୁ ଅପହରଣ କରିବା ପରେ ତାଙ୍କୁ ଧମକାଉଥିବାର ଏକ ଭିଡିଓ ରେକର୍ଡିଂ କରାଯାଇଥିଲା। ଏହି ଛାତିଥରା ଭିଡିଓକୁ ପରେ ପରିବାର ଲୋକଙ୍କ ନିକଟକୁ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଯାଇଥିଲା, ଯାହାକି ବର୍ତ୍ତମାନ ପୋଲିସ ହାତରେ ଏକ ଅକାଟ୍ୟ ପ୍ରମାଣ ଭାବରେ ଲାଗିଛି।

ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ଏକ ବଡ଼ ଚାଲ୍ ଖେଳିଥିଲେ। କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ କାଳୁ ମାନିଛି ଯେ, ସୁଧୀରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅପରାଧରେ ବ୍ୟବହୃତ ଦୁଇଟି ଯାକ ବନ୍ଧୁକକୁ ସେମାନେ ବୁଗୁଡ଼ା ସ୍ଥିତ ବାଘୁଆ ଡ୍ୟାମରେ ଫିଙ୍ଗି ଦେଇଥିଲେ। ବର୍ତ୍ତମାନ ପୋଲିସ ଓ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଡ୍ୟାମ୍‌ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଯଦି ଏହି ବନ୍ଧୁକ ଜବତ ହୁଏ, ତେବେ ଫୋରେନସିକ୍ ରିପୋର୍ଟ ମାଧ୍ୟମରେ ମାମଲା ଆହୁରି ମଜବୁତ ହେବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୫ ତାରିଖରେ ବ୍ରହ୍ମପୁର କରପଲ୍ଲୀ ଗାଁର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ କରାଯାଇଥିଲା। ସାତ ଦିନ ପରେ ଅର୍ଥାତ୍ ଏପ୍ରିଲ ୨୨ ତାରିଖରେ ସୋରଡ଼ା ରାଶିପଙ୍ଖାଳ ଜଙ୍ଗଲରୁ ତାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଛାଡ଼ିବା ପାଇଁ ୨ କୋଟି ଟଙ୍କା ଲୋଭରେ ନିଜ ଝିଆରୀ, ପୁତୁରା ଓ ଝିଆରୀର ପ୍ରେମିକ ବିହାରୀ ଗ୍ୟାଙ୍ଗକୁ ୧ କୋଟି ଟଙ୍କାର ସୁପାରୀ ଦେଇ ଏହି ବର୍ବରକାଣ୍ଡ ଘଟାଇଥିଲେ।

କ୍ରାଇମ୍ ସିନ୍ ରିକ୍ରିଏସନ୍ ପରେ ସାମ୍ନାକୁ ଆସିଥିବା ଏହି ନୂଆ ତଥ୍ୟଗୁଡ଼ିକୁ ପୋଲିସ ଏବେ ଅପରାଧର ଚୂଡ଼ାନ୍ତ ରୂପରେଖ ଓ ଚାର୍ଜସିଟ୍ ପ୍ରସ୍ତୁତ କରିବା ଦିଗରେ ବ୍ୟବହାର କରିବ।

Leave A Reply

Your email address will not be published.