ବ୍ରହ୍ମପୁର: ବ୍ରହ୍ମପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ଶୁଭମ ଗୌଡ଼ ଏବଂ ଶୁଭମ ନାୟକଙ୍କୁ ପୋଲିସ ଆଜି (ଶନିବାର) ଠାରୁ ରିମାଣ୍ଡରେ ନେଇ ଜେରା କରିବ। ଜେଏମଏଫସି କୋର୍ଟ ଏହି ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଅନୁମତି ଦେଇଛନ୍ତି।
ଏହି ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୭ ଜଣଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯାଇ ସାରିଛି।
ରିମାଣ୍ଡରେ ଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅପହରଣ ସମୟରେ ଗାଡି ଚଳାଉଥିଲେ ଏବଂ ଅନ୍ୟ ଜଣେ ଅପରାଧ ଘଟାଇବାରେ ସହଯୋଗ କରିଥିଲେ। ଅପହରଣ ପାଇଁ କେଉଁ ରାସ୍ତା ବ୍ୟବହାର କରାଯାଇଥିଲା ଏବଂ କିଭଳି ଗାଡି ବଦଳାଯାଇଥିଲା, ସେ ନେଇ ପୋଲିସ ‘ରୁଟ୍ ଟ୍ରାକିଂ’ କରି ଘଟଣାର ସିନ୍ ରିକ୍ରିଏସନ କରିବ।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଅଭିଯୁକ୍ତମାନେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ସୁଧୀରଙ୍କୁ ନିର୍ଯାତନା ଦେଉଥିବା ବେଳେ ଅକସ୍ମାତ ତାଙ୍କର ମୃତ୍ୟୁ ଘଟିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ସୁଧୀରଙ୍କ ମୁଣ୍ଡ ଏବଂ ପଞ୍ଜରା ହାଡରେ ଗଭୀର ଆଘାତ ଲାଗିଥିଲା।
ସୁଧୀରଙ୍କ ଝିଆରି ନିବେଦିତା ଏବଂ ପୁତୁରା ତୁଷାରଙ୍କ ସହ ସମ୍ପତ୍ତି କାରବାରକୁ ନେଇ ବିବାଦ ଥିବା ଚର୍ଚ୍ଚା ହେଉଛି। ମାତ୍ର ବିବାହ ପ୍ରସ୍ତାବକୁ ନେଇ ହତ୍ୟାକାଣ୍ଡ ଘଟିଥିବା କଥାକୁ ନିବେଦିତା ଅସ୍ୱୀକାର କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପ ସିଂଙ୍କର ଡିଏନଏ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଏହି ମାମଲାରେ ଆଗକୁ ଆହୁରି ଅନେକ ବଡ଼ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୋଲିସ ଆଶା କରୁଛି।
Comments are closed.