Latest Odisha News

BREAKING NEWS

ଭଦ୍ରକ: ଗୋଟିଏ ମଶାଣିରେ ଜଳିଲା ୫ଟି ନିଷ୍ପାପ ପିଲାଙ୍କ ଜୁଇ, ଗାଁ’ରେ ଶୋକାକୂଳ ପରିସ୍ଥିତି

ଭଦ୍ରକ : ବୁକୁଫଟା କାନ୍ଦରେ ମଶାଣି ଭୁଇଁ ଥରିଉଠିଛି । ସାଙ୍ଗସାଥି, ବନ୍ଧୁ କୁଟମ୍ବ ଏବଂ କୋମଳମତୀ ପିଲାମାନଙ୍କର ଶେ।।କାତୁର ବାପାମାଆଙ୍କର କାନ୍ଦୁରା ମୁହଁ ଶ୍ମଶାନରେ ଏକ ଶୋକାକୂଳ ପରିବେଶ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଶ୍ମଶାନରେ ଗୋଟିଏ ଗାଁ’ର ୫ଟି ସାଙ୍ଗପିଲାଙ୍କର ଶବକୁ ୫ଟି ଜୁଇରେ ଅନ୍ତିମ ସଂସ୍କାର କରାଯାଇଛି । ନିଆଁ ହୁତହୁତ ହୋଇ ପିଲାମାନଙ୍କର ଜୁଇରେ ଜଳୁଥବା ବେଳର ହୃଦୟ ବିଦାରକ ଦୃଶ୍ୟରେ ବିଚାରା ଭଦ୍ରକ ଅସୁରା ହାଟସାହି ଗାଁ ଶ୍ମଶାନ ବି କାନ୍ଦି ଉଠିଛି । ଗତରାତିରେ ୪ଜଣଙ୍କର ଏବଂ ଆଜି ସକାଳେ ଜଣଙ୍କର ସେହି ଏକା ଶ୍ମଶାନରେ ୫ଟି ଜୁଇ ପାଖାପାଖି ଜଳିଛି ।

ଗତକାଲି ସ୍କୁଲ ଛୁଟିପରେ ଖୁସିରେ ଗପସପ ହୋଇ ପିଲାମାନେ ସାଇକେଲରେ ଘରକୁ ଫେରୁଥିଲେ । ରାସ୍ତା ପାର ହେଲାବେଳକୁ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଦେଲା ଧକ୍କା । ଚାହୁଁ ଚାହୁଁ ୫ଟି ଜୀବନ ସେଇ ରାଜପଥରେ ଟ୍ରକ ଚକାତଳେ ହିଁ ଲିଭିଗଲା । ଭଦ୍ରକ ଉପକଣ୍ଠସ୍ଥ ୧୬ ନଂ ଜାତୀୟ ରାଜପଥର ରାଣିତାଲ ରାହାଞ୍ଜର ଅସୁରା ନିକଟ ଦୁର୍ଘଟଣାରେ ୫ଟି କୋମଳମତି ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ ।

ଏହି ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ପ୍ରାଣହରାଇଥିବା ସମସ୍ତ ଛାତ୍ରଛାତୀ ରାହାଞ୍ଜ ପଞ୍ଚାୟତର ଅସୁରା ହାଟସାହି ଗ୍ରାମର । ସମସ୍ତେ ରାଣୀତାଲର ରାହାଞ୍ଜ ପଞ୍ଚାୟତ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ । ପ୍ରାଣହରାଇଥିବା ଛାତ୍ରଛାତ୍ରୀମାନେ ହେଲେ ପ୍ରିୟମ୍ବଦା ମହାନ୍ତି, ଶ୍ୱେତା ସାହୁ, କଳ୍ପନା ଜେନା, ସୁକାନ୍ତ ସାହୁ ଓ ସତ୍ୟବ୍ରତ ବାରିକ ।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ଶୀତଲ ଶାହା, ବର୍ଷାରାଣୀ ମହାନ୍ତି, ପ୍ରଭାତ ନାୟକ, ଉର୍ବଶୀ ସାହୁ, ଦୀପ୍ତିରେଖା ସାହୁ ଓ ରଞ୍ଜିତା ଜେନା ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ୫ ଜଣଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେପଟେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଖସି ଚାଲିଯାଇଥିବା ଟ୍ରକଚାଳକକୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.