Latest Odisha News

BREAKING NEWS

କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ଯାଆଁଳା ଭାଇ ଘରକୁ ଫେରିବେ: ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଚିକିତ୍ସିତ ହେଉଥିବା ଯାଆଁଳା ଶିଶୁ ଜଗା-କାଳିଆଙ୍କୁ ଭେଟିଛନ୍ତି । ବର୍ତ୍ତନମାନ ଜଗା-କାଳିଆ ଓଡ଼ିଶା ଫେରିବେ ନାହିଁ, କାଳିଆ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କଲେ ଦୁଇ ଭାଇ ଘରକୁ ଫେରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

“ଜଗା ବେଶ୍ ସୁସ୍ଥ ଅଛି, କାଳିଆ କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥତା ହାସଲ କରିନାହିଁ । କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ଦୁଇ ଭାଇଙ୍କର ଯତ୍ନ ନେବାକୁ” ଏମ୍ସର କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମ ଆଗରେ ପ୍ରକାଶ କହିଛନ୍ତି ।

ଆମେ ଓଡ଼ିଶାର ୫ ଜଣ ବିଶେଷଜ୍ଞଙ୍କୁ ଭେଟି ପରାମର୍ଶ ନେବା ପରେ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲୁ ବୋଲି କହିଛନ୍ତି ଶ୍ରୀ ଜେନା ।

ଏମ୍ସର ଡ଼ାକ୍ତର ଗିରିଜା ରଥ ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି, ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି, କିନ୍ତୁ କାଳିଆର ଅଧିକ ଚିକିତ୍ସା ଯତ୍ନର ଆବଶ୍ୟକତା ପଡୁଛି । ଓଡ଼ିଶାର ୫ ଜଣ ବିଶେଷଜ୍ଞ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଏନେଇ ଆଲୋଚନା ମଧ୍ୟ କରିଛନ୍ତି ।

ଯାଆଁଳା ଭାଇ ଜଗା-କାଳିଆଙ୍କୁ ଦେଖିବାକୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ଯେଉଁ ୫ ଜଣ ବିଶେଷଜ୍ଞ ଦିଲ୍ଲୀ ଗସ୍ତ କରିଛନ୍ତି ସେମାନେ ହେଲେ ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡ଼ାଃ ସଞ୍ଜିବ ମିଶ୍ର, କଟକ ବଡ଼ ମେଡ଼ିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ପୃଥିବୀରାଜ ସିଂହ, ଆସିଷ୍ଟା ଣ୍ଟ ପ୍ରଫେସର, ଶିଶୁ ବିଶେଷଜ୍ଞ ଡ଼ାଃ ସରୋଜ ଶତପଥି, ଡ଼ାଃରଶ୍ମୀ ରଞ୍ଜନ ମହାନ୍ତି ।

ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲାର ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ରହିଥିବା ଦୁଇଭାଇଙ୍କର ଦିଲ୍ଲୀ ଏମ୍ସରେ ନ୍ୟୁରୋ ସର୍ଜରୀ ବିଶେଷଜ୍ଞ ପ୍ରଫେସର ଡ଼ାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର କରାଯାଇ ଅଲଗା କରାଯାଇଥିଲା । ଏବେ ଦୁହେଁ ସୁସ୍ଥତା ଅନୁଭବ କରୁଛନ୍ତି । ଦୁହିଁଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଘଟିବାରେ ଲାଗିଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରି ଗତ ନଭେମ୍ବର ୨୬ ତାରିଖରେ ନୂଆଦିଲ୍ଲୀସ୍ଥ ଏମ୍ସରେ ଦୁଇଭାଇଙ୍କୁ ଭେଟି ଆରୋଗ୍ୟ କାମନା କରିଥିଲେ ।

ଓଡ଼ିଶାର ଅଗଣିତ ଜନସାଧାରଣ ଦୁଇ ଭାଇଙ୍କ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏବେ ଦୁଇ ଭାଇ ସ୍ୱାଭାବିକ ଅବସ୍ଥାରେ ରହିଛନ୍ତି । ଜଗା ବେଶ୍ ସୁସ୍ଥରେ ରହିଥିବା ବେଳେ କାଳିଆର ଆଉ କିଛି ଚିକିତ୍ସାର ଆବଶ୍ୟକତା ରହିଛି । ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କଲେ ଜଗା-କାଳିଆ ଓଡ଼ିଶା ନିଜ ଘରକୁ ଫେରିବେ ।

Leave A Reply

Your email address will not be published.