Latest Odisha News

BREAKING NEWS

ଭଜନଲାଲ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ମିଳିଲା ସ୍ୱୀକୃତି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷ ହୋଇଛି । ଦିଲ୍ଳୀରୁ ଆସିଥିବା ପର୍ଯ୍ୟବେକ୍ଷକ ବିଧାୟକ ଦଳ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛନ୍ତି । ସମସ୍ତଙ୍କୁ ଚମକାଇ ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ମନୋନୀତ କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ସାଙ୍ଗାନେର ବିଧାୟକ ଭଜନଲାଲ ଶର୍ମାଙ୍କ ନାମ ଘୋଷଣା କରାଯାଇଛି ।

ଭାଜପା ଶୀର୍ଷ ନେତୃତ୍ୱ  କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ବିନୋଦ ତାବଡେ ଏବଂ ସରୋଜ ପାଣ୍ଡେୟଙ୍କୁ ରାଜସ୍ଥାନ ପର୍ଯ୍ୟବେକ୍ଷକ ଭାବେ ପଠାଇଥିଲେ । ଆଜି ଦ୍ୱୀପହରରେ ବୈଠକ ପରେ ରାଜନାଥ ସିଂ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ୱାନ-ୱୁ-ୱାନ ଆଲୋଚନା କରିଥିଲେ  । ଏପଟେ ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜନାଥ ସିଂହଙ୍କ ସହ ଯୋଗାଯୋଗରେ ଥିଲେ ।

ପରେ ବିଧାୟକ ଦଳ ବୈଠକରେ ସହମତି ପ୍ରକାଶ ପାଇବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ଭଜନଲାଲଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବାଛିବା ବିଜେପି ପାଇଁ ଏକ ଚାଲେଞ୍ଜ ଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ଥିଲେ । ସବୁଠାରୁ ଆଗେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନାଁ ଥିଲା । କାରଣ ସେ ପୂର୍ବରୁ ବି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଏହାବ୍ୟତୀତ ରାଜସ୍ଥାନରେ ହିନ୍ଦୁତ୍ୱର ପୋଷ୍ଟର ବୟ ବାବା ବାଲକନାଥଙ୍କ ନାମକୁ ବି ନେଇ ଚର୍ଚ୍ଚା ଜୋର ଧରିଥିଲା । ସେପଟେ, ଗଜେନ୍ଦ୍ର ଶେଖାବତ, ସିପି ଯୋଶୀ, ଦୀୟା କୁମାରୀ ଏବଂ ରାଜବର୍ଦ୍ଧନ ରାଠୋରଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା ।

ଯାହା ବି ହେଉ, ବିଜେପି କେନ୍ଦ୍ର ନେତୃତ୍ୱଙ୍କର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଛି । ଭରତପୁର ବାସିନ୍ଦା ଭଜନଲାଲ ଶର୍ମା ଦୀର୍ଘ ବର୍ଷ ଧରି ଦଳରେ କାର୍ଯ୍ୟ କରି ଆସୁଛନ୍ତି । ବିଜେପି ପ୍ରଥମ ଥର ପାଇଁ ତାଙ୍କୁ ଜୟପୁରର ସିଙ୍ଗାନେର ପରି ସୁରକ୍ଷିତ ସ୍ଥାନରୁ ନିର୍ବଚନ ଲଢିବା ପାଇଁ ଛିଡା କରାଇଥିଲା ଆଉ ପ୍ରଥମ ଥରରେ ହିଁ ସେ ମୁଖ୍ୟମନ୍ତ୍ରୀ ହୋଇଗଲେ । ସେଠାରେ ପୂର୍ବରୁ ଥିବା ବିଧାୟକ ଅଶୋକ ଲାହୋଟିଙ୍କ ଟିକେଟ କାଟି ଦଳ ଭଜନଲାଲଙ୍କୁ ସଙ୍ଗାନେର ଆସନର ଟିକେଟ ଦେଇଥିଲା ।

ଭଜନଲାଲ ଶର୍ମା ଏହି ଆସନରୁ କଂଗ୍ରାସ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮, ୦୮୧ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଥିଲେ । ଭଜନଲାଲ ଶର୍ମାଙ୍କୁ  ସଙ୍ଘ  ଏବଂ ସଂଗଠନର ନିକଟତର ବୋଲି କୁହାଯାଏ ।

Leave A Reply

Your email address will not be published.