Latest Odisha News

BREAKING NEWS

‘ଭାରତ ବନ୍ଦ’ ଯୋଗୁଁ ସାରା ଓଡ଼ିଶାରେ ଜନ ଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର: ସମଗ୍ର ଦେଶବ୍ୟାପୀ ୧୦ଟି ଟ୍ରେଡ଼ ୟୁନିୟନଗୁଡ଼ିକ ପକ୍ଷରୁ ଦୁଇଦିନ ଲାଗି ଆରମ୍ଭ ହୋଇଥିବା ବନ୍ଦ ଡ଼ାକରା ଯୋଗୁଁ ମଙ୍ଗଳବାର ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବା ସହିତ ରାସ୍ତାଘାଟରେ ଯାନବାହାନ ଚଳାଚଳ ହୋଇନପାରି ଜନଜୀବନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ବାଲେଶ୍ୱରରେ ଏହି ବନ୍ଦ ପାଳନ ସମୟରେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ରେଳରୋକେ କରାଯିବା ଫଳରେ ଗୌହାଟୀ-ତ୍ରିଭେନ୍ଦ୍ରମ ସୁପରଫାଷ୍ଟ ଟ୍ରେନ ଓ ହାୱଡ଼ା-ପୁରୀ ଏକ୍ସପ୍ରେସ ଷ୍ଟେସନରେ ଅଟକିରହିଛି । ଜଳେଶ୍ୱର ରେଲୱେ ଷ୍ଟେସନରେ ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜର ଟ୍ରେନ ଏବଂ ବାଘାଜତୀନ ପାସେଞ୍ଜର ଟ୍ରେନ ଅଟକି ରହିଛି । ବାଲେଶ୍ୱର ସହରରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଯୋଗୁଁ ଗମନାଗମନ ଏକରକମ ଠପ୍ ହୋଇଯାଇଛି କହିଲେ ଚଳେ ।

ସେହିପରି ସମଗ୍ର ରାୟଗଡ଼ା ଜିଲ୍ଲାରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଯୋଗୁଁ ଜିଲ୍ଲାରେ ଜୀବନ ଯାତ୍ରା ବ୍ୟାହତ ହୋଇପଡ଼ିଛି । ଆଜିର ଏହି ବନ୍ଦ ପ୍ରଭାବରେ ଗୁଣପୁରକୁ ଯୋଗାଯୋଗ ସମୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଜିଲ୍ଲାର କପିଳାଶଛକରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିବା ଯୋଗୁଁ ଜିଲ୍ଲାର ସମ୍ପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିିନ୍ନ ହୋଇପଡ଼ିଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଟ୍ରେଡ୍ ୟୁନିୟନର କର୍ମୀମାନେ ବଣାଇଠାରେ ୬ଟି ରେଳପଥ ଓ ୨୧୫ ନଂ ଏବଂ ୧୪୩ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ରାଉରକେଲାର ବିର୍ସାଛକ ଓ ଆମ୍ବଗାଁଠାରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିବା ଯୋଗୁଁ ଏଠାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜିର ଏହି ଦେଶବ୍ୟାପୀ ବନ୍ଦକୁ ଦୃଷ୍ଟିରେ ରଖି ରାଉରକେଲା ଷ୍ଟିଲ ପ୍ଲାରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପଠାରେ ବନ୍ଦ ପାଳନ ଯୋଗୁଁ ସମଗ୍ର ଅଞ୍ଚଳ ପ୍ରଭାବିତ ହୋଇଛି । ଆନ୍ଦୋଳନକାରୀମାନେ ପାରାଦ୍ୱୀପ ବନ୍ଦରର ୫ଟି ଗେଟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ନିକଟସ୍ଥ ରାସ୍ତାଗୁଡ଼ିକୁ ଅବରୋଧ କରିଛନ୍ତି । ସେହିପରି ରଙ୍ଗିଆଗଡ଼ ଆଇଓସିଏଲ ନିକଟରେ ଟ୍ରେଡ୍ ୟୁନିୟନ ଗୁଡ଼ିକର କର୍ମୀମାନେ ରାସ୍ତା ଅବରୋଧ କରିବା ଫଳରେ ସେହି ସ୍ଥାନରେ ଜନଶୂନ୍ୟ ହୋଇପଡ଼ିଛି । ରାସ୍ତାଗୁଡ଼ିକରେ କାଁ ଭାଁ ଲୋକମାନେ ଦୃଷ୍ଟି ଗୋଚର ହେଉଛନ୍ତି । ଏଠାରେ ବନ୍ଦର ପ୍ରଭାବ ଅଧିକ ପଡ଼ିଥିବା ଲକ୍ଷ୍ୟ କରାଯାଇଛି ।

ଆଜିର ଏହି ଭାରତ ବନ୍ଦ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରରେ ଆନ୍ଦୋଳନକାରୀମାନେ ଦୋକାନ ବଜାର ବନ୍ଦ କରିବା ଫଳରେ ଏଠାରେ ଜୀବନ ଯାତ୍ରା ଏକରକମ ଠପ୍ ହୋଇଯାଇଛି । ବିକ୍ଷୋଭକାରୀମାନଙ୍କ ପକ୍ଷରୁ ବାଙ୍ଗାଲୋର-ହାୱଡ଼ା ଟ୍ରେନ୍ ଦୁରନ୍ତ ଏକ୍ସପ୍ରେସ ଏବଂ ଅହମ୍ମଦାବାଦ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସକୁ ଅଟକାଯିବା ଫଳରେ ଟ୍ରେନଗୁଡ଼ିକ ଷ୍ଟେସନରେ ପଡ଼ିରହିଛି ।

ପୁରୀରେ ପୁରୀ-କଟକ ପ୍ୟାସେଞ୍ଜର ଟ୍ରେନ ତଥା ପୁରୀ-ଗୁଣପୁର ପ୍ୟାସେଞ୍ଜର ଟ୍ରେନ ଆନ୍ଦୋଳନକାରୀମାନଙ୍କ ରେଳରୋକୋ ଯୋଗୁଁ ଷ୍ଟେସନରେ ଅଟକି ରହିଛି ।

ଆଜିର ଏହି ବନ୍ଦ ପାଳନ ଯୋଗୁଁ ଟ୍ୱିନ ସିଟି କଟକ-ଭୁବନେଶ୍ୱର ସହର ଉପରେ ବିଶେଷ ଭାବେ ପ୍ରଭାବ ପଡ଼ିଛି ।

ଆଜି କଟକରେ ଏସୟୁସିଆଇ ପକ୍ଷରୁ ସହରର ବିଭିନ୍ନ ଛକ ଯାଗାଗୁଡ଼ିକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । କଟକରେ ଯାନବାହନ ଚଳାଚଳ ଏକରକମ ଠପ୍ ହୋଇଯାଇଛି । କମ୍ୟୁନିଷ୍ଟ ଦଳ ଗୁଡ଼ିକର ବିଭିନ୍ନ ଶ୍ରମିକ ସଂଗଠନ ତଥା ଟ୍ରେଡ୍ ୟୁନିୟନଗୁଡ଼ିକର ବିକ୍ଷୋଭ ସହିତ ରାସ୍ତା ଅବରୋଧ ଏବଂ ରେଳରୋକୋ ଯୋଗୁଁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବସ ଟ୍ରେନ ଗୁଡ଼ିକ ଗନ୍ତବ୍ୟ ସ୍ଥାନକୁ ଯାଇନପାରି ପଡ଼ିରହିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଆଜିର ଏହି ବନ୍ଦ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି । ସହରର ଅଧିକାଂଶ ଛକରେ ବିକ୍ଷୋଭକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସେହିପରି ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଟ୍ରେଡ଼ ୟୁନିୟନର କର୍ମୀମାନେ ଧାରଣାରତ ରହିଛନ୍ତି ।

ଆଜିର ଏହି ଭାରତବନ୍ଦ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ଗତକାଲିଠାରୁ ଘୋଷଣା କରିଥିଲେ ।

ଆଜିର ଏହି ବନ୍ଦ ପାଳନକୁ ଶାସକ ବିଜେଡ଼ି ତଥା ଦଳୀୟ ଶ୍ରମିକ ସଂଗଠନ ବିଜୁ ଶ୍ରମିକ ସଂଗଠନ (ବିଏସଏସ) ସମର୍ଥନ କରୁଛନ୍ତି । ଏହି ଦେଶବ୍ୟାପୀ ବନ୍ଦ ପାଳନକୁ ସିଆଇଟିୟୁ ଏବଂ ଏଆଇଟିୟୁସି ତଥା ଅନ୍ୟ ପ୍ରମୁଖ ଟ୍ରେଡ଼ ୟୁନିୟନ ଗୁଡ଼ିକର ନେତୃତ୍ୱ ନେଇଛନ୍ତି ।

ଦେଶର ୧୦ଟି ଯେଉଁ ପ୍ରମୁଖ ଟ୍ରେଡ଼ ୟନିୟନଗୁଡ଼ିକ ଏହି ବନ୍ଦ ପାଳନରେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି – ଆଇଏନଟିୟୁସି, ସିଆଇଟିୟୁ, ଏଆଇଟିୟୁସି ଓ ଏଚଏମଏସ ପ୍ରଭୃତି ସଂଗଠନ । ମାତ୍ର ଆରଏସଏସ ସମର୍ଥିତ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘ (ବିଏମଏସ) ଏହି ବନ୍ଦ ପାଳନରେ ସାମିଲ ହୋଇନାହିଁ ।

ଏହି ଟ୍ରେଡ଼ ୟୁନିୟନଗୁଡ଼ିକ ୧୨ ଦଫା ଦାବି ନେଇ ଏହି ବନ୍ଦ ପାଳନ କରୁଛନ୍ତି । ସେଗୁଡ଼ିକ ମଧ୍ୟରେ ମୁଦ୍ରାସ୍ଫିତି ନିୟନ୍ତ୍ରଣ, ସର୍ବନିମ୍ନ ଦରମାହାର ୧୮,୦୦୦ ଟଙ୍କା, ସବୁ କାମ ଲାଗି ସମାନ ପାରିଶ୍ରମିକ, ରେଳବାଇରେ ବୈଦେଶିକ ପୁଞ୍ଜି ବିନିଯୋଗ ନକରିବା ଏବଂ ଯୁବବର୍ଗଙ୍କ ନିଯୁକ୍ତି ପ୍ରଭୃତି ଦାବି ଗୁଡ଼ିକ ରହିଛି ।

Leave A Reply

Your email address will not be published.