Latest Odisha News

ଭାରତ ବନ୍ଦ ଯୋଗୁଁ କଟକ-ଭୁବନେଶ୍ୱର ସବୁଠୁ ଅଧିକ ପ୍ରଭାବିତ

ଭୁବନେଶ୍ୱର/କଟକ: ଆଜି ଦେଶବ୍ୟାପୀ ୧୦ଟି ପ୍ରମୁଖ ଟ୍ରେଡ଼ ୟନିୟନ ଗୁଡ଼ିକ ପକ୍ଷରୁ ଯେଉଁ ୨ ଦିନିଆ ବନ୍ଦ ପାଳନ କରାଯାଉଛି ତାହାର ପ୍ରଭାବ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ପଡ଼ିଛି । ତେବେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଏହି ବନ୍ଦର ପ୍ରଭାବ ସମୂର୍ଣ୍ଣ ଭାବେ ପଡ଼ିଥିଲେ ମଧ୍ୟ ତୁଳନାତ୍ମକ ଭାବେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବଂ ରାଜ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ କଟକ ସହରରେ ଏହା ଅଧିକ ମାତ୍ରାରେ ପ୍ରଭାବିତ କରିଛି । ଏହି ବନ୍ଦ ପାଳନ ଯୋଗୁଁ ଟ୍ୱିନ୍ ସିଟିରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି ।

ରାଜ୍ୟର ତଥା ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବସଷ୍ଟାଣ୍ଡ ବରମୁଣ୍ଡାରେ ଶହ ଶହ ଯାତ୍ରୀବାହୀ ଘରୋଇ ବସ ଗୁଡ଼ିକ ଗନ୍ତବ୍ୟସ୍ଥଳକୁ ଯାଇ ନପାରି ପଡ଼ିରହିଛି । ସହରର ଜାତୀୟ ରାଜପଥ କଡ଼ରେ ଶହ ଶହ ସଂଖ୍ୟାରେ ମାଲବାହୀ ଟ୍ରକ୍ ଗୁଡ଼ିକ ପଡ଼ିରହିଥିବାର ଲକ୍ଷ୍ୟ କରାଯାଇଛି ।

ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ କମ୍ୟୁନିଷ୍ଟ ଦଳଗୁଡ଼ିକର ଟ୍ରେଡ଼ ୟନିୟନ ପକ୍ଷରୁ ଧାରଣା ଦିଆଯିବା ସହିତ ରାଜଧାନୀର ବ୍ୟସ୍ତବହୁଳ ସ୍ଥାନଗୁଡ଼ିକ ଜନଶୂନ୍ୟ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି ।

ରାଜଧାନୀର ମାଷ୍ଟରକ୍ୟାଣ୍ଟିନ, ବାପୁଜୀନଗର, ବାଣୀବିହାର, ସତସଙ୍ଗ ବିହାର, ଚନ୍ଦ୍ରଶେଖରପୁର, ନାଲକୋଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଶୈଳଶ୍ରୀ ବିହାର, ବରମୁଣ୍ଡା, ଜାଗମରା, ରସୁଲଗଡ଼, ବମିଖାଲ, କଳ୍ପନାଛକ ଏବଂ ପୁରୁଣାଭୁବନେଶ୍ୱର ଅଞ୍ଚଳରେ ଟ୍ରେଡ଼ ୟୁନିୟନର କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ରାଜ୍ୟର ସବୁଠୁ ବ୍ୟସ୍ତବହୁଳ ସହର ତଥା ବୈବସାୟିକ ପେଣ୍ଠସ୍ଥଳୀଭାବେ ଜଣାଶୁଣା କଟକ ସହର ଏହି ବନ୍ଦ ପାଳନ ଯୋଗୁଁ ବିଶେଷଭାବେ ପ୍ରଭାବିତ ହୋଇଛି । କଟକ ରେଳ ଷ୍ଟେସନରେ କେତେକ ଶ୍ରମିକ ସଂଗଠନର ରେଳରୋକୋ ଯୋଗୁଁ ଅନେକ ଟ୍ରେନ ଷ୍ଟେସନରେ ଅଟକି ରହିଛି । ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ନଯାଇପାରି ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ଦେଖାଯାଇଛି ।

କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଶତାଧି ବସ ଗତକାଲିଠାରୁ ପଡ଼ିରହିଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ଗମନାଗମନ ଏହି ବସଷ୍ଟାଣ୍ଡରୁ ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଲକ୍ଷ୍ୟ କରାଯାଇଛି ।

କଟକ ସହରର ଅଧିକାଂଶ ସ୍ଥାନରେ କମ୍ୟୁନିଷ୍ଟ ଶ୍ରମିକ ସଂଗଠନ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାସ୍ତା ଅବରୋଧ କରାଯାଇଛି ।

ଆଜିର ଏହି ବନ୍ଦ ପାଳନକୁ ଶାସକ ବିଜେଡ଼ି ତଥା ଦଳୀୟ ଶ୍ରମିକ ସଂଗଠନ ବିଜୁ ଶ୍ରମିକ ସଂଗଠନ (ବିଏସଏସ) ସମର୍ଥନ କରୁଛନ୍ତି । ଏହି ଦେଶବ୍ୟାପୀ ବନ୍ଦ ପାଳନକୁ ସିଆଇଟିୟୁ ଏବଂ ଏଆଇଟିୟୁସି ତଥା ଅନ୍ୟ ପ୍ରମୁଖ ଟ୍ରେଡ଼ ୟୁନିୟନ ଗୁଡ଼ିକର ନେତୃତ୍ୱ ନେଇଛନ୍ତି ।

ଦେଶର ୧୦ଟି ଯେଉଁ ପ୍ରମୁଖ ଟ୍ରେଡ଼ ୟନିୟନଗୁଡ଼ିକ ଏହି ବନ୍ଦ ପାଳନରେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି – ଆଇଏନଟିୟୁସି, ସିଆଇଟିୟୁ, ଏଆଇଟିୟୁସି ଓ ଏଚଏମଏସ ପ୍ରଭୃତି ସଂଗଠନ ।

ମାତ୍ର ଆରଏସଏସ ସମର୍ଥିତ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘ (ବିଏମଏସ) ଏହି ବନ୍ଦ ପାଳନରେ ସାମିଲ ହୋଇନାହିଁ ।

ଏହି ଟ୍ରେଡ଼ ୟୁନିୟନଗୁଡ଼ିକ ୧୨ ଦଫା ଦାବି ନେଇ ଏହି ବନ୍ଦ ପାଳନ କରୁଛନ୍ତି । ସେଗୁଡ଼ିକ ମଧ୍ୟରେ ମୁଦ୍ରାସ୍ଫିତି ନିୟନ୍ତ୍ରଣ, ସର୍ବନିମ୍ନ ଦରମାହାର ୧୮,୦୦୦ ଟଙ୍କା, ସବୁ କାମ ଲାଗି ସମାନ ପାରିଶ୍ରମିକ, ରେଳବାଇରେ ବୈଦେଶିକ ପୁଞ୍ଜି ବିନିଯୋଗ ନକରିବା ଏବଂ ଯୁବବର୍ଗଙ୍କ ନିଯୁକ୍ତି ପ୍ରଭୃତି ଦାବି ଗୁଡ଼ିକ ରହିଛି ।

Leave A Reply

Your email address will not be published.