Latest Odisha News

BREAKING NEWS

ବଲାଙ୍ଗିର: ପଶୁବଳିରେ ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ

ବଲାଙ୍ଗିର : ଜିଲ୍ଲା ପ୍ରଶାସନର ବାରଣ ତଥା ବିଭିନ୍ନ କଟକଣା ସତ୍ୱେ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ଯାତ୍ରା ଯୋଗୁଁ ରକ୍ତରଞ୍ଜିତ ହୋଇ ପଡିଛି ଶୁଳିଆ ପୀଠ ।

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁରା ଓ କୁମୁରିଆ ଗ୍ରାମର ଆଦିବାସୀମାନେ ପାରମ୍ପରିକ ରୀତିନୀତିରେ ହଜାର ହଜାର ସଂଖ୍ୟାରେ ପଶୁବଳି ଦେଇଛନ୍ତି ।

ଗତକାଲି ନିଶାର୍ଦ୍ଧରେ ପାରମ୍ପରିକ ରୀତିନୀତିରେ ‘ନିଶି ପୂଜା’ ନାମକ ଏକ ପୂଜା ଅନୁଷ୍ଠିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶୁଳିଆ ପୀଠର ବଡ ଖଳା ଓ ସାନ ଖଳାରେ ପରମ୍ପରା ଅନୁସାରେ ହଜାର ହଜାର ସଂଖ୍ୟାରେ ପଶୁ-ପକ୍ଷୀ ବଳି ଦିଆଯାଇଥିବା ନେଇ ସୂଚନା ମିଳିଛି ।

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହଶହ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବା ସହ ଶ୍ରଦ୍ଧାଳୁମାନେ ବଡ ଧୂମଧାମରେ ଶୁଳିଆ ପୂଜାରେ ଦେବାଦେବୀଙ୍କ ଆରାଧନା କରିଥିଲେ ।

“ଆମେ କନ୍ଧ ପରମ୍ପରା ଅନୁସାରେ ଶୁଳିଆ ପୂଜା କରିଥାଉ ଏବଂ ଶ୍ରଦ୍ଧାଳୁମାନେ ସେମାନଙ୍କ ମାନସିକ ପୂରଣ ହେବାପରେ ପଶୁ-ପକ୍ଷୀଙ୍କ ବଳି ଦେଇଥାନ୍ତି” ବୋଲି ଆଦିବାସୀ ସଂଘ ପରାମର୍ଶଦାତା କହିଛନ୍ତି ।

ଏହି ଶୁଳିଆ ଯାତ୍ରା ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏସପି ଓ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଜଣେ ଡିଏସପି ଏବଂ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ସେହି ସ୍ଥାନରେ ୪ଜଣ ମାଜିଷ୍ଟ୍ରେଟ୍ ମଧ୍ୟ ଉପସ୍ଥିତ ରହିଥିବା ନେଇ ସୂଚନା ମିଳିଛି ।

ଓଡିଶା ହାଇକୋର୍ଟ ଦ୍ୱାରା ଶୁଳିଆ ପୀଠରେ ପଶୁବଳି ଦିଆଯିବା ନେଇ ପ୍ରତିବନ୍ଧକ ଲଗାଇବା ତଥା ଜିଲ୍ଲା ପ୍ରଶାସନର ବାରମ୍ବାର ପ୍ରୟାସ ସତ୍ୱେ ଏଠାରେ ପଶୁବଳି ପ୍ରଥା ଜାରି ରହିଛି ।

Leave A Reply

Your email address will not be published.