Latest Odisha News

BREAKING NEWS

“ଭାରତ ଯୋଡ଼ୋ” ଏକ ସ୍ଲୋଗାନ ନୁହେଁ ସମୟର ଆବଶ୍ୟକତା : କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ସମଗ୍ର ଭାରତ ବର୍ଷରେ ଏକ ଅନିଶ୍ଚିତାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଦେଶର ଅର୍ଥନୀତି ଏକ ସଂକଟମୟ ସନ୍ଦିକ୍ଷଣ ଦେଇ ଗତି କରୁଥିଲା ବେଳେ କେନ୍ଦ୍ର ସରକାରଙ୍କ ବିଫଳ ଆର୍ଥିକ ନୀତି କାରଣରୁ ଦେଶରେ ଦରଦାମ ଆକାଶଛୁଆଁ ହେବା ସହିତ ବେକାରୀ ମଧ୍ୟ ଉତ୍କଟରୂପ ଧାରଣ କରିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ମୁଖପାତ୍ର ଅନସୁଲ ଅଭିଜିତ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ଅଭିଜିତ କହିଛନ୍ତି ଯେ  ଦେଶରେ ସାମାଜିକ ନ୍ୟାୟ ଓ  ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ଏକ ଗୁରୁତର ଆହ୍ୱାନ ସୃଷ୍ଟି ହୋଇଛି । ଜାତି, ଭାଷା, ଧର୍ମ ଓ ଖାଦ୍ୟ ଆଧାରରେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟିକରି ଦେଶର ସାମାଜିକ, ରାଜନୈତିକ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚୁରମାର କରିଦେବାପାଇଁ ଅପଚେଷ୍ଟା ଜାରି ରହିଥିବା ବେଳେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମଗ୍ର ଦେଶକୁ ଯୋଡ଼ିବାପାଇଁ ଭାରତ ଯୋଡ଼ ଅଭିଯାନ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ପ୍ରଦେଶ କଂଗ୍ରେସ କମିଟି ସଭାପତି  ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଭିଜିତ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତ ଯୋଡ଼ ଡାକରା ଏକ ସ୍ଲୋଗାନ ନୁହେଁ ଏହା ଏକ ହୁଂକାର ଓ ବର୍ତମାନ ଘଡ଼ିସନ୍ଦି ମୂର୍ହତର ଏକ ଆବଶ୍ୟକତା । ବିଭେଦ ସୃଷ୍ଟିକାରି ଓ ବିଭାଜନକାରୀ ତତ୍ୱଙ୍କୁ ଉଚିତ ଜବାବ ଦେଇ ଉଜୁଡ଼ିବାକୁ  ଭାରତୀୟ ବ୍ୟବସ୍ଥାକୁ ସଜାଡ଼ିବା ତଥା ଏକ ସୁନ୍ଦର ଭବିଷ୍ୟତ ଘଡ଼ିତୋଳିବା ପାଇଁ ଏହି ଭାରତଯୋଡ଼ ଅଭିଯାନ ଅଭିପ୍ରେତ ।

ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଭାରତଯୋଡ଼ ଅଭିଯାନର ଉଦ୍ଦେଶ୍ୟ । ସେଗୁଡ଼ିକ ହେଲା ଅର୍ଥନୈତିକ ଅସମତା, ସାମାଜିକ ଅସଂହତି ଓ ଅତିକେନ୍ଦ୍ରୀକରଣ । ଅକ୍ସଫାମ ଇଂଟରନ୍ୟାସନାଲ ଦ୍ୱାରା ଜାରି ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ଦେଶର ମାତ୍ର ଏକଭାଗ ଲୋକଙ୍କ ହାତରେ ୭୭% ଭାଗ ସଂପଦ ଠୁଳ ହୋଇ ରହିଛି । ସାଧାରଣ ଲୋକର ଅବସ୍ଥା ସଂଗୀନ ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ଆର୍ଥିକ କୁ ପରିଚାଳନା କାରଣରୁ ଦରଦାମ ବୃଦ୍ଧି ଓ ବେକାରୀ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ।

ଗତ ୪ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମୈଦାନ ଠାରେ ଏଆଇସିସି ପକ୍ଷରୁ ଆୟୋଜିତ ମହଙ୍ଗାଇ ପର ହାଲା ବୋଲ କାର୍ଯ୍ୟକ୍ରମର ବିପୁଳ ସଫଳତା ପରେ ବର୍ତମାନର ଘଡ଼ିସନ୍ଦି ମୂର୍ହତରେ ଲୋକଙ୍କ ପାଖକୁ ଚାଲି ଚାଲି ଯାଇ ସେମାନଙ୍କର ମନର କଥା ଓ ବ୍ୟଥା ଜାଣିବାପାଇଁ ଭାରତ ଇତିହାସରେ ପ୍ରଥମଥର ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୫୦ ଦିନ ବ୍ୟାପି ଏକ ବ୍ୟାପକ ଜନସଂପର୍କ କାର୍ଯ୍ୟକ୍ରମ ହେବାକୁ ଯାଉଛି ।

ଏହି ଭାରତ ଯୋଡ଼ ଅଭିଯାନ ବର୍ତମାନ ସମୟର ଏକ ଆବଶ୍ୟକତା ଓ ଧ୍ୱସ୍ତବିଧ୍ୱସ୍ତ ହେବାକୁ ଯାଉଥିବା ଭାରତର ସାମାଜିକ, ଆର୍ଥିକ, ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି ।

ଶ୍ରୀ ଅଭିଜିତଙ୍କ କହିବା ଅନୁଯାୟୀ ଭାରତଯୋଡ଼ ଅଭିଯାନ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମିରରେ ସମାପ୍ତ ହେବ । କଂଗ୍ରେସ ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ଅନ୍ୟ ନେତୃବୃନ୍ଦଙ୍କ ସହ ପାଦରେ ଚାଲି ଚାଲି ୧୨ ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ୩୫୭୧ କିଲୋମିଟରୁ ଅଧିକ ପଥ ଯାତ୍ରା କରିବେ । ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ ବୋଲି ଶ୍ରୀ ଅଭିଜିତ ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ରସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଓ ଉତ୍କଟ ବେକାରୀ ଦେଶବାସୀଙ୍କୁ ଏକ ଦୁର୍ଗତି ଭିତରକୁ ଠେଲି ଦେଇଛି । କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧି ନୀତି ଯୋଗୁଁ ଲୋକ ହନ୍ତସନ୍ତ ହେଉଥିବା ବେଳେ  ଓଡ଼ିଶା ସରକାର ମଧ୍ୟ ନିରବଦ୍ରଷ୍ଟା ଭାବେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସମର୍ଥନ କରିଚାଲିଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ରାଜ୍ୟ ସରକାରଙ୍କ ନିରବଦ୍ରଷ୍ଟା ପ୍ରତିବାଦରେ ରାଜ୍ୟରେ ଆଗାମୀ ଦିନରେ ପଦଯାତ୍ରା କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତିର ସମାଲୋଚନା କରିବା ସହ ଭାରତଯୋଡ଼ ଅଭିଯାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ସାମ୍ବାଦିକ  ସମ୍ମିଳନୀରେ ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ଦାୟୀତ୍ୱରେ ସଂଯୋଜକ ଭାବେ ଥିବା ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ ଓ  ଯୁଗ୍ମ ସଂଯୋଜକ ପୂର୍ବତନ ସାଂସଦ ନକୁଳ ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.