Latest Odisha News

BREAKING NEWS

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ, ୩ ଦିନ ଚାଲିବ ‘ଭାରତ ଯୋଡ ନ୍ୟାୟ ଯାତ୍ରା’

ଭୁବନେଶ୍ବର: ଆଜି ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର ‘ଭାରତ ଯୋଡ ନ୍ୟାୟ ଯାତ୍ରା’ । ମଣିପୁରରୁ ବାହାରିଥିବା ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିବ । ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ଏହାପରେ ସୁନ୍ଦରଗଡ଼ ଓ ଝାରସୁଗୁଡା ରେ ଏହି ନ୍ୟାୟ ଯାତ୍ରା ୩ ଦିନ ଦିନ ଧରି ଚାଲିବ । ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ବି କରିବେ ।

ସେଠାରୁ ୧୧ କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧି ରାମପାଲର ବିଜାବାହାଲଠାରେ ରାତ୍ରିଯାପନ କରିବେ । ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାହୁଲଙ୍କ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ରାଉରକେଲାରେ ଡେରା ପକାଇଛନ୍ତି ।

ଏହାପରେ ଫେବୃଆରୀ ୭ ତାରିଖ ସକାଳ ୯ ଟାରେ ରାଉରକେଲା ଉଦିତନଗର ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ପାନପୋଷ ଛକଠାରେ ପହଞ୍ଚିବ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ପରେ ବିର୍ସାମୁଣ୍ଡା ପଡିଆରେ କଂଗ୍ରେସ ସାଂସଦ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ରହିଛି । ଅପରାହ୍ନ ୨ ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ । ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧି ଉଦ୍‌ବୋଧନ ଦେବେ ।

ପରେ ଅପରାହ୍ନ ୪ଟା ୩୦ରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ପହଞ୍ଚିବ ପଦଯାତ୍ରା । ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧୀ ରାତ୍ରି ରହଣୀ କରିବେ ।

ଏହାପରଦିନ ଅର୍ଥାତ୍ ୮ ତାରିଖ ସକାଳ ୮ ଟାରୁ ଝାରସୁଗୁଡ଼ାସ୍ଥିତ ମହାତ୍ମା ଗାନ୍ଧି ଛକ ପୁରୁଣା ବସଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହୋଇ ବେହେରା ମାଳରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ସେହିଠାରୁ ଯାଇ କୁରେଇମଲରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ ଗାନ୍ଧୀ । ପରେ ଅପରାହ୍ନ 2 ଟାରେ କନକତୋରାରୁ ବାହାରି ଓଡ଼ିଶା ଛାଡି ଛତିଶଗଡରେ ପ୍ରବେଶ କରିବେ ।

ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ । କିନ୍ତୁ ବିଜେଡି-ବିଜେପି ରାହୁଲଙ୍କ ଗସ୍ତକୁ କଟାକ୍ଷ କରିଛନ୍ତି । ବିଜେଡି ଓ ବିଜେପି କହିଛନ୍ତି ରାହୁଲ ଗାନ୍ଧୀଙ୍କ ଗସ୍ତର କୌଣସି ପ୍ରଭାବ ପଡିବନି ।

Leave A Reply

Your email address will not be published.