Latest Odisha News

ଭରତପୁର ଘଟଣାରେ ମେଳି କଲେଣି ପୋଲିସ ସଂଘ, ଆଗକୁ ବଡ଼ ଆନ୍ଦୋଳନ !

ଭୁବନେଶ୍ଵର: ତେଜୁଛି ପୋଲିସ ସେନା ବିବାଦ । ଆଗକୁ ହେବ କି ବଡ଼ ଆନ୍ଦୋଳନ ! ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ତୀବ୍ର ହେବାରେ ଲାଗିଛି ପୋଲିସ-ସେନା ବିବାଦ । ବିବାଦ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀ ବୈଠକ ଡାକିଛି ଓଡ଼ିଶା ପୋଲିସ ସେବା ସଂଘ । ଆଜି ଭୁବନେଶ୍ବରରେ ବସିବ ବୈଠକ । ବୈଠକରେ ଯୋଗଦେବେ ୪୦ ଜଣ ଡିଏସପି, ଏଏସପି ପାହ୍ୟା ଅଧିକାରୀ । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେନା ଅଧିକାରୀ ମାନଙ୍କ ଦାବୀ ଥିବା ବେଳେ ଆଗକୁ ବଡ଼ ଆନ୍ଦୋଳନ ହୋଇପାରେ ବୋଲି ଆଶା କରାଯାଉଛି ।

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ଘଟଣା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ୨ଟି ମାମଲା ଆଧାରରେ ତଦନ୍ତ ଚଳାଇଛି। ଏହାରି ମଧ୍ୟରେ ପୋଲିସ ଆତ୍ମରକ୍ଷା ପାଇଁ ଓ ପୀଡ଼ିତାଙ୍କ ବୟାନକୁ ମିଛ ପ୍ରମାଣିତ କରିବା ପାଇଁ କିଛି ସିସିଟିଭି ଫୁଟେଜ ସଂଗ୍ରହ କରି ଭାଇରାଲ କରୁଥିବାର ଅଭିଯୋଗ ହେଉଛି। ଅନ୍ୟପଟେ ଏହି ଭିଡିଓ ଭାଇରାଲ ପଛରେ କାହାର ହାତ ରହିଛି ସେନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ସହ ଭୁବନେଶ୍ୱର ସାଇବର ସେଲ୍‌ରେ ତଦନ୍ତ ଚଳାଇଛି।

ଅନ୍ୟପଟେ ଉକ୍ତ ଘଟଣାରେ ୫ ଜଣ ପୋଲିସ ଅଧିକାରୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ଏହାକୁ ବିରୋଧ କରି ଏକପାଖିଆ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ କରି ଗତକାଲି ପୋଲିସ ରିଜର୍ଭ ପଡିଆରେ ଏକାଠି ହୋଇଥିଲେ କମିଶନରେଟ ପୋଲିସର ସମସ୍ତ ଥାନାର କର୍ମଚାରୀ। ନିଲମ୍ବନ ପ୍ରତ୍ୟାହାର କରାଯିବା ସହ ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି ପୋଲିସ ସଂଘ।

ଅନ୍ୟପଟେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ ଡିଜିପି ୱାୟୀ.ବି ଖୁରାନିଆଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ । ମେଜର ସିଂ ଏବଂ ବାନ୍ଧବୀଙ୍କ ଓଡିଶା ପୋଲିସ୍ ହେପାଜତରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗକୁ ନେଇ ଆୟୋଗ ୩ ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି ଏବଂ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

Leave A Reply

Your email address will not be published.