ଭୁବନେଶ୍ୱର: ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱାଦଶ ପାଳି । ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତକାଳ ପଦକ୍ଷେପ ନେଇଛନ୍ତି ।
ଆଜି ପଞ୍ଜିକୃତ କରିଥିବା ୧ ହଜାର ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୭ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।
ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପ୍ରଥମେ ଅଭିଯୋଗ ପ୍ରକୋଷ୍ଠରେ ପହଁଚି ଦିବ୍ୟାଙ୍ଗ ଲୋକମାନଙ୍କ ପାଖକୁ ଯାଇଥିଲେ ଏବଂ ସେଠାରେ ଜଣ ଜଣ କରି ସମସ୍ତଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ । ପରେ ପ୍ରକୋଷ୍ଠ ଭିତରକୁ ଆସି ପଞ୍ଜିକୃତ କରିଥିବା ଅନ୍ୟ ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ସମସ୍ତ ଅଭିଯୋଗ ଗୁଡିକର ପ୍ରତିବିଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି । ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ବାବଦକୁ ୧୦ ଜଣଙ୍କ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ । ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ୪୮ ଜଣଙ୍କୁ ୫୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଏକାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୮୯୪ଟି ଅଭିଯୋଗ ମଧ୍ୟରୁ ୧୦,୧୩୨ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୩ ପ୍ରତିଶତ ଅଟେ । ବକେୟା ଅଭିଯୋଗ ଗୁଡ଼ିକ ପ୍ରକ୍ରିୟାରେ ରହିଛି ।
ବିଗତ କିଛି ଦଶନ୍ଧି ପୂର୍ବରୁ ରାଜ୍ୟର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ଦେଶରେ ପରିଚିତ ଥିବା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ । ରାଜସ୍ବ ମନ୍ତ୍ରୀ ସରେଶ ପୂଜାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
Comments are closed.