Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଭୌମ ଏକାଦଶୀ

ପୁରୀ: ଶ୍ରୀମନ୍ଦିରରେ ମାଘ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ) ନିମନ୍ତେ ବିଶେଷ ନୀତି ମାନ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୪୫ ବଢି, ଭିତର ଶୋଧ ଘ.୬.୨୫, ଅବକାଶ ବେଶ ଘ.୮.୦୦ ରେ ବଢି ଗୋପାଳ ବଲ୍ଲବ ଘ.୧୦.୧୦ ,ସକାଳ ଧୂପ ଘ.୧୧.୪୫ ଓ ଭୋଗମଣ୍ଡପ ଘ.୨.୧୦ ରେ ସାରିବା ପରେ ମଇଲମ ହୋଇ ପଞ୍ଚାମୃତ ମହାସ୍ନାନ ହୋଇଥିଲା ।

ପରେ ଘଟୁଆରୀ ଘରୁ ପୂଜାପଣ୍ଡା , ପତି ମହାପାତ୍ର ଓ ମୁଦିରସ୍ତ ଙ୍କ ଦ୍ଵାରା ଚନ୍ଦନ ବିଜେ ହୋଇ ଘଣ୍ଟ ଛତା ସର୍ବାଙ୍ଗ ଚନ୍ଦନଲାଗି ହୋଇଥିଲା। ପରେ ନୂଆଲୁଗା ଲାଗି ବେଶ , ମାଳ ଫୁଲ ଲାଗି ସହିତ ଛଅ ମୂର୍ତି ଅଳଙ୍କାର ଲାଗିହୋଇ ବେଶ ବଢିଥିଲା।

ଏହାପରେ ପାଣି ପଡି ମଧ୍ୟାନ ଧୂପ ଛେକ ଆସିଲାପରେ, ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ। ଏହାପରେ ତିନି ଜଣ ପାଳିଆ ପୂଜାପଣ୍ଡା ସାମନ୍ତ ଷୋଡଶ ଉପଚାରରେ ମଧ୍ୟାନ ଧୂପ ସାରିଥିଲେ । ଏହାପରେ ୨ୟ ଭୋଗମଣ୍ଡପ ଭୋଗ ସରି ପାଣି ପଡ଼ିଲାପରେ ଶ୍ରୀଜୀଉ ମାନଙ୍କ ମଇଲମ ହୋଇ ଶାଢ଼ୀ ଖଣ୍ଡୁଆ ଲାଗି ଏବଂ ବନ୍ଦାପନ ବଢି ସନ୍ଧ୍ୟା ଆଳତି ହୋଇଥିଲା ।

ଏହାପରେ ଏକାଦଶୀ ବେଢା଼ପାଇଁ ଶ୍ରୀ ମଦନ ମୋହନ ଭିତରକୁ ବିଜେ କରିଥିଲେ। ଏକାଦଶୀ ସର୍ବାଙ୍ଗ ପରେ ଆଜ୍ଞା ମାଳ ପାଇ ବେଢାକୁ ବିଜେ କରିଥିଲେ, ବେଢା଼ସାରି ଜୟବିଜୟ ଦ୍ୱାର ଠାରେ ବନ୍ଦାପନା ପରେ ଦିଅଁ ଦଖିଣି ଘରକୁ ବିଜେ କରିଥିଲେ। ଏହାପରେ ବେଶ ବଢି ସନ୍ଧ୍ୟା ଧୂପ ଅନୁଷ୍ଠିତ ପରେ ମହାଦୀପ ଆଳତି,ମଇଲମ,ଚନ୍ଦନଲାଗି ପରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ,ବଡ଼ସିଂହାର ଭୋଗ ବଢି ରାତ୍ର ପହୁଡ଼ ଅନୁଷ୍ଠିତ ହୋଇଛି।

Comments are closed.