ଭୁବନେଶ୍ବର: ସାମ୍ନାକୁ ଆସିଲା ୨୦୨୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଥିବା ଯାତ୍ରୀଙ୍କ ରେକର୍ଡ ସଂଖ୍ୟା । ୨୦୨୫ରେ ବିମାନ ଯାତ୍ରୀ ଯାତାୟାତ କ୍ଷେତ୍ରରେ ଉକ୍ତ ବିମାନବନ୍ଦର ସର୍ବକାଳୀନ ରେକର୍ଡ ହାସଲ କରିଛି । ବର୍ଷକରେ ମୋଟ ୩୮ ହଜାର ୫୪୭ଟି ବିମାନ ଉଡ଼ାଣ ଓ ଅବତରଣ କରିଥିବାବେଳେ, ୫୧ ଲକ୍ଷ ୫୨ ହଜାର ୭୬୫ ଯାତ୍ରୀ ଯାତାୟାତ କରିଛନ୍ତି ।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ୨୦୨୫ ଜାନୁଆରୀରେ ଏଠାରୁ ୪,୫୦,୫୯୬ ଯାତ୍ରୀ ଯାତାୟାତ କରିଥିବା ବେଳେ ୩,୨୦୯ଟି ବିମାନ ଉଡ଼ାଣ ଓ ଅବତରଣ କରିଥିଲା। ଫେବୃଆରୀରେ ୪,୨୬,୦୨୦ଜଣ ଯାତାୟାତ କରିଥିବାବେଳେ ଏବଂ ୩୦୭୭ଟି ବିମାନ ଉଡ଼ାଣ କରିଥିଲା। ମାର୍ଚ୍ଚରେ ୪,୫୪,୦୮୨ଜଣ ଯାତ୍ରୀ ବିଭିନ୍ନ ସହରକୁ ବିମାନ ଦ୍ବାରା ଯାତ୍ରା କରିଥିଲେ। ଏହି ମାସରେ ୩୩୯୩ଟି ବିମାନ ଉଡ଼ାଣ କରିଥିଲା।
ସେହିପରି ଏପ୍ରିଲରେ ୪,୫୭,୦୭୨ ଯାତ୍ରୀ ଯାତାୟାତ କରିଥିବା ବେଳେ ୩୪୪୬ଟି ବିମାନ ଉଡ଼ାଣ କରିଥିଲା । ମେ’ରେ ୪,୬୮,୯୫୫ ଯାତ୍ରୀ ଯାତାୟାତ କରିଥିବା ବେଳେ ୩୫୭୮ ବିମାନ ଉଡ଼ାଣ ଓ ଅବତରଣ କରିଥିଲା। ଜୁନ୍ରେ ୩୩୬୫ଟି ବିମାନରେ ୪,୩୮,୦୩୬ ଯାତ୍ରୀ ଯାତ୍ରା କରିଥିଲେ। ଜୁଲାଇରେ ଏହି ବିମାନ ବନ୍ଦରରୁ ୩୦୨୬ଟି ବିମାନ ଦେଶ ଓ ବିଦେଶର ବିଭିନ୍ନ ସହରକୁ ୩,୬୭,୭୧୯ ଯାତ୍ରୀଙ୍କୁ ନେବା ଆଣିବା କରିଥିଲା ।
ଅଗଷ୍ଟରେ ୨୯୯୯ଟି ବିମାନ ଉଡ଼ାଣ କରିଥିବା ବେଳେ ୩,୯୦,୧୬୪ ଯାତ୍ରୀ ବିମାନରେ ଯିବା ଆସିବା କରିଥିଲେ। ସେପ୍ଟେମ୍ବରରେ ୩୦୦୪ଟି ବିମାନ ଉଡ଼ାଣ କରିଥିଲା ଏବଂ ୩,୭୯,୯୬୮ ଯାତ୍ରୀ ଯାତ୍ରା କରିଥିଲେ। ଅକ୍ଟୋବରରେ ୩୧୬୧ଟି ବିମାନ ଉଡ଼ାଣ ଓ ଅବତରଣ କରିଥିଲା ଏବଂ ୪,୨୭,୪୩୦ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥିଲେ। ନଭେମ୍ବରରେ ୩୧୬୮ଟି ବିମାନ ଉଡ଼ାଣ କରିଥିଲା ଏବଂ ଏଥିରେ ୪,୪୮,୫୩୫ ଯାତ୍ରୀ ଯାତ୍ରା କରିଥିଲେ। ଡିସେମ୍ବରରେ ୩୧୨୧ଟି ବିମାନ ଉଡ଼ାଣ କରିଥିବା ବେଳେ ୪,୪୪,୧୯୧ ଯାତ୍ରୀ ଯାତାୟାତ କରିଥିଲେ ।
ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାତ୍ରୀ ପରିବହନ କ୍ଷେତ୍ରରେ ଦେଶରେ ୧୩ତମ ସ୍ଥାନରେ ରହିଛି । ବର୍ତ୍ତମାନ ଉକ୍ତ ବିମାନ ବନ୍ଦରରୁ ଦେଶ ଓ ବିଦେଶର ମୋଟ ୨୮ଟି ସହରକୁ ବିମାନ ଉଡ଼ାଣ କରୁଛି । ଅନ୍ୟପକ୍ଷେ ଭୁବନେଶ୍ବର ବିମାନ ବନ୍ଦରରୁ ଲକ୍ଷ୍ନୌ ଓ ଜୟପୁରକୁ ବିମାନ ସେବା ବନ୍ଦ ହୋଇଛି । ଏଣିକି ଏହି ଦୁଇ ସହରକୁ କନେକ୍ଟିଂ ବିମାନରେ ଯିବାକୁ ପଡ଼ିବ, ଯାହା ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିବ ।