Latest Odisha News

BREAKING NEWS

ଅଭିଯୁକ୍ତଙ୍କୁ ଜାମିନ ମିଳିବାରୁ ନିଜ ସୁରକ୍ଷା ନେଇ ଚିନ୍ତାରେ ଆହତ ବ୍ୟବସାୟୀ

ଭୁବନେଶ୍ୱର: ଅଭିଯୁକ୍ତ ମାନଙ୍କୁ ଜାମିନ ମିଳିଥିବାରୁ ନିଜର ସୁରକ୍ଷା ଲାଗି ଆକ୍ରମଣରେ ଆହତ ହୋଇଥିବା ଭୁବନେଶ୍ୱର ବ୍ୟବସାୟୀ ପରଭିନ୍ଦର ପାଲ୍ ସିଂହ ଚିନ୍ତା ପ୍ରକଟ କରିଛନ୍ତି ।

“ମୋତେ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ ନକରିବା ଫଳରେ କିଛି ଘଣ୍ଟା ମଧ୍ୟରେ ସେମାନେ ଜାମିନ ପାଇବାକୁ ସକ୍ଷମ ହୋଇଛନ୍ତି । ପୋଲିସ ଉପରୁ ମୋର ବିଶ୍ୱାସ ତୁଟିଯାଇଛି,” ବୋଲି ଆକ୍ରମଣରେ ଆହତ ବ୍ୟବସାୟୀ ପରଭିନ୍ଦର କହିଛନ୍ତି ।

ପୋଲିସ ସାମ୍ନାରେ ମୋତେ ମରଣାନ୍ତକ ଆକ୍ରମଣ ହୋଇଥିବାରୁ ମୋର ପରିବାରବର୍ଗ ଆତଙ୍କିତ ଅବସ୍ଥାରେ ରହିଛନ୍ତି । “ମୋ ଉପରେ ଆଉ ସେମାନେ ଆକ୍ରମଣ କରିବେ ନାହିଁ ବୋଲି କିଏ ଆଶ୍ୱାସନା ଦେଇପାରିବେ କି?” ବୋଲି ସେ ଗଣମାଧ୍ୟମ ଆଗରେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ପୂର୍ବତନ କର୍ପୋରେଟରଙ୍କ ସଂପୃକ୍ତି ରହିଥିବା ନେଇ ସେ ମଧ୍ୟ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ, ସମସ୍ତ ମେଡ଼ିକାଲ୍ ରିପୋର୍ଟ ଓ ପାରିପାଶ୍ୱିର୍କ ପ୍ରମାଣ ଓ ଅବସ୍ଥାକୁ ନେଇ ମାମଲା ରୁଜୁ ହୋଇଛି । “ମୁଁ ବ୍ୟକ୍ତିଗତ ଭାବେ ଏହି ଘଟଣାରେ ପୀଡ଼ିତ ବ୍ୟବସାୟୀଙ୍କ୍‌ୁ ମଧ୍ୟ ଭେଟିଛି । ଜଣେ ଏସିପିଙ୍କୁ ମଧ୍ୟ ତାଙ୍କ ଆପାର୍ଟମେଣ୍ଟ ସାମ୍ନାରେ ଗତ ରାତିରେ ସୁରକ୍ଷା ଲାଗି ଦାୟିତ୍ୱ ଦିଆଯାଇଛି ।”

ତାଙ୍କ ଘର ସାମ୍ନାରେ ଗୋଟିଏ ଗାଡ଼ି ପାଖେଇ ଦେବାକୁ କହିବାରୁ ଦୁଇଜଣ ବ୍ୟକ୍ତି ତାଙ୍କ ନାବାଳିକା ଝିଅ ସାମ୍ନାରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ପରଭିନ୍ଦର । ସେଠାରେ ପୋଲିସ ସହିତ କିଛି ସାଧାରଣ ବ୍ୟକ୍ତି କେବଳ ଦେଖଣାହାରୀ ପାଲଟିଥିବା ସେ ମଧ୍ୟ ଅଭିଯୋଗ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, ସେ ଗାଡ଼ି ତାଙ୍କ ଫାଟକ ସାମ୍ନାରୁ ହଟାଇବାକୁ କହିବାରୁ ସେହି ବ୍ୟକ୍ତିମାନେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । “ମୁଁ ପୋଲିସକୁ ୧୦୦ ନମ୍ବର ଡାଏଲ୍ କରି ଡକାଇଥିଲି । ପୋଲିସ ପହଞ୍ଚିଲା ପରେ ମଧ୍ୟ ସେମାନେ ମୋତେ ନିସ୍ତୁକ ମାଡ଼ ମାରିଥିଲେ,” ବୋଲି କହିଛନ୍ତି ପରଭିନ୍ଦର ।

ଇତିମଧ୍ୟରେ ପୋଲିସ କମିଶନର୍ ପିସିଆର୍ ଭ୍ୟାନର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।

ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କୁ ଏସଡ଼ିଜିଏମ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.