Latest Odisha News

ସମୀର ମହାନ୍ତି ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଗୁରୁବାର ଦିନ ସର୍ବ ସମ୍ମତ ଭାବେ ବିଜେପି ରାଜ୍ୟ ସଭାପତି ନିର୍ବାଚିତ ହୋଇଛନ୍ତି ।

ସର୍ବ ସମ୍ମତ ଭାବେ ରାଜ୍ୟର ଜିଲ୍ଲା ସଭାପତି ତଥା ରାଜ୍ୟ କାଉନସିଲ୍ ସଦସ୍ୟମାନେ ତାଙ୍କୁ ସଭାପତି ଭାବେ ନିର୍ବାଚିତ କରିଛନ୍ତି ।

ଦୀର୍ଘ ୧୪ ବର୍ଷ ପରେ ଉପକୂଳବର୍ତ୍ତୀ ଅଞ୍ଚଳରୁ କେହି ଜଣେ ନେତା ବିଜେପି ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ମହାନ୍ତି ୨୦୧୪ରୁ ରାଜ୍ୟ ବିଜେପି ଉପ-ସଭାପତି ରୂପେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ।

ଏହି ପଦବୀରେ ପୂର୍ବରୁ ସାଂସଦ ବସନ୍ତ ପଣ୍ଡା ରହିଥିଲେ, ସେ ୨୦୧୯ ସାଧାରଣ ନିର୍ବାଚନରେ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ଦଳ ପକ୍ଷରୁ ପୂର୍ବରୁ ୧୭ ତାରିଖରେ ଆନୁଷ୍ଠାନିକ ଭାବେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଥିଲା । ଏପରିକି ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଦିନ ସଭାପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ହେବାର କାର୍ଯ୍ୟକ୍ରମ ରହିଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଏବଂ ରାଜୀବ ପ୍ରତାପ ରୁଡ଼ି ଏହି ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ଉପସ୍ଥିତ ରହିବାର ଘୋଷଣା ହୋଇଥିଲା ।

ଆସନ୍ତାକାଲି ଏହି ନିର୍ବାଚନ ହେବା ପୂର୍ବରୁ ସର୍ବସମ୍ମତ ଭାବେ ଶ୍ରୀ ମହାନ୍ତି ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.