Latest Odisha News

BREAKING NEWS

ଲୁଟେରାଙ୍କୁ କରାଯିବ ସାବାଡ୍, ଚାଲିଛି କଡା ଚେକିଂ

ଭୁବନେଶ୍ବର: ରାଜଧାନୀରେ ପୁରା ଆକ୍ସନ ମୋଡରେ କମିସନରେଟ ପୋଲିସ୍ । ବିଭିନ୍ନ ଥାନା ଅଞ୍ଚଳ ପରିସର ଭୁକ୍ତ ଥିବା ହୋଟେଲ ଓ ଲଜରେ ଚାଲିଛି ଜୋରଦାର ଛାନଭିନ୍ । ଗତକାଲି ବିଳମ୍ବିତ ରାତିରେ କିଛି ଏମିତି ମିଶନ ଆରମ୍ଭ କରିଦେଇଛନ୍ତି କମିଶନରେଟ ପୋଲିସ୍ । ବାହାରୁ ଆସି ରାଜଧାନୀରେ ଡେରା ପକାଉଥିବା ବିଭିନ୍ନ ଖଳ ପ୍ରକୃତିର ଲୋକଙ୍କ ପାଇଁ ଏଭଳି କିଛି ପ୍ରୟାସ କରାଯାଉଥିବାର କମିଶନରେଟ ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

ବାହାରୁ ଆସୁଥିବା ଲୋକମାନେ ବେଳେବେଳେ ହୋଟେଲରେ ଆଶ୍ରୟ ନେଇ ଅନେକ ଅପରାଧିକ କାର୍ଯ୍ୟକଳାପ ଚଳାଇଥାନ୍ତି । ଯାହାକୁ ନେଇ ବିଳମ୍ବିତ ରାତିରେ ରାଜଧାନୀ କମିଶନରେଟ୍ ପୋଲିସ୍ ଭୁବନେଶ୍ବରର ବିଭିନ୍ନ ହୋଟେଲ, ଲଜ୍ ଓ ଗେଷ୍ଟ୍ ହାଉସରେ ରେଡ୍ ଜାରି କରିଛି । ତେବେ ଗତକାଲି ଭୁବନେଶ୍ୱରର କ୍ୟାପିଟାଲ, ଖାରବେଳ ନଗର, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ଖଣ୍ଡଗିରି, ବଡ଼ଗଡ଼, ନୟାପଲ୍ଲୀ ଆଦି ଥାନା ଅଞ୍ଚଳର ହୋଟେଲ, ଲଜ୍ ଓ ଗେଷ୍ଟ ହାଉସ୍‌ରେ ରେଡ୍ କରାଯାଇଛି ।

ତେବେ ଏବେ ରାଜଧାନୀରେ ମାତିଛନ୍ତି ବିଭିନ୍ନ ଲୁଟେରା ଗାଙ୍ଗ । ରାତି ଅଧ ହେଉକି ଦିନ ଦ୍ବିପହର ଆଖି ପିଛୁଳାକେ କଳାକନା ବୁଲାଇ ଦେଉଛନ୍ତି । ଯାହାକୁ ନେଇ ଏବେ ସଜାଗ ହୋଇଛନ୍ତି କମିଶନରେଟ୍ ପୋଲିସ୍ । ଏଥିସହିତ ‘ସରାଇ’ ଆପ ବ୍ୟବହାରକୁ ଅଧିକ ତ୍ବରାନ୍ବିତ କରିବାକୁ ସମସ୍ତ ହୋଟେଲକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି । ସରାଇ ଆପକୁ ହୋଟେଲ କର୍ତ୍ତୃପକ୍ଷମାନେ ଅଣଦେଖା କରିଥିବାରୁ ରାଜଧାନୀରେ ବର୍ତ୍ତମାନ ଲୁଟେରାଙ୍କ ଉତ୍ପାତ ବେଶୀ ବଢିଛି । ତେଣୁ ଏହି ନିୟମକୁ ଆହୁରି କଡାକଡି କରିବା ଦ୍ବାରା ରାଜଧାନୀରେ ଲୁଟେରା ଓ ଠକଙ୍କୁ ମଉକା ମିଳିବ ନାହିଁ ବୋଲି କହିଛନ୍ତି ଡିସିପି ।

ତେବେ କହି ରଖୁଛୁ, ୨୦୨୧ରେ ଭୁବନେଶ୍ବର ପୋଲିସଙ୍କ ଦ୍ବାରା ଜାରି କରାଯାଇଥିବା ‘ସରାଇ’ ଆପ । ଯେଉଁଥିରେ ଭୁବନେଶ୍ବରରେ ଥିବା ସମସ୍ତ ହୋଟେଲରେ ରହୁଥିବା ଅତିଥିଙ୍କ ସମସ୍ତ ସୂଚନା ଅନ୍ତର୍ଭୁକ୍ତ ହୋଇଥାଏ । ଯେଉଁ ସୂଚନା ଦ୍ବାରା ସନ୍ଦିଗ୍ଧଙ୍କୁ ଜାଣିବାରେ ସହଜ ହୋଇଥାଏ ।

Leave A Reply

Your email address will not be published.