Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିରକୁ ଡେଇଁଲା କରୋନା, ମନ୍ଦିର ଭିତରକୁ ଜନସାଧାରଣ ପ୍ରବେଶ ଓ ଦର୍ଶନ ମନା 

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ମହାମାରୀ । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରକୁ ଛୁଇଁଛି କରୋନା । ମନ୍ଦିରର ୪ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ କରାଯାଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଜନସାଧାରଣ ପ୍ରବେଶ ତଥା ଦର୍ଶନକୁ ବାରଣ କରାଯାଇଛି । କେବଳ ଠାକୁରଙ୍କ ନୀତିକାନ୍ତି ଜାରି ରହିବ । ଏହାସହ ରୁକୁଣା ରଥଯାତ୍ରା ପୂର୍ବ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ରୁକୁଣା ରଥଯାତ୍ରାରେ ସାମିଲ ହେବାକୁ ଥିବା ବିଭିନ୍ନ ସେବାୟତଙ୍କର ଗତକାଲି କରୋନା ଟେଷ୍ଟ ହୋଇଛି । ଆଜି ମଧ୍ୟ କିଛି ସେବାୟତଙ୍କ ଟେଷ୍ଟିଂ କରାଯାଇଛି । ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସେପଟେ ଦିନକୁ ଦିନ ଭୁବନେଶ୍ୱରରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ହସ୍ପିଟାଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ସମ ହସ୍ପିଟାଲରେ ୫ ଶହ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୧୫୦ ଶଯ୍ୟା ଖୋଲା ଯାଇଥିଲା । ବର୍ତ୍ତମାନ ପୁଣି ହାଇଟେକ, ନୀଳାଚଳ ଓ ବ୍ଲୁ ହ୍ବିଲ ହସ୍ପିଟାଲରେ ପୂର୍ବ ନିର୍ଦ୍ଧାରିତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବାକୁ ବିଏମସି ଅନୁମତି ଦେଇଛି । ଏନେଇ ବିଏମସି ପକ୍ଷରୁ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଖୁବଶୀଘ୍ର ଆଉ ଦୁଇଟି ଅର୍ଥାତ ସ୍ପର୍ଶ ଓ କିମ୍ସ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ଘୋଷଣା କରାଯିବ । କିମ୍ସ କୋଭିଡ ହସ୍ପିଟାଲରେ ୫ ଶହ ଶଯ୍ୟା ରହିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.