Latest Odisha News

BREAKING NEWS

ଓଡ଼ିଶାରେ ପୁଣି ଲେଉଟିଲା କରୋନା: ରାଜଧାନୀ ଭୁବନେଶ୍ୱରରୁ ୫୦ ବର୍ଷୀୟ ବ୍ୟକ୍ତି ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଦୀର୍ଘ ଦିନର ନିରବତା ପରେ ଓଡ଼ିଶାରେ ପୁଣିଥରେ କରୋନା ଭାଇରସ୍ (Covid-19) ନିଜର ଉପସ୍ଥିତି ଜାହିର କରିଛି। ରାଜଧାନୀ ଭୁବନେଶ୍ୱରରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ନୂତନ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତ ବ୍ୟକ୍ତି ଜଣକ ଗତ କିଛି ଦିନ ହେବ ଥଣ୍ଡା, କାଶ ଏବଂ ଜ୍ୱର ଭଳି ସାମାନ୍ୟ ଲକ୍ଷଣ ଅନୁଭବ କରୁଥିଲେ। ସନ୍ଦେହ ହେବାରୁ ସେ ନିଜର କୋଭିଡ୍ ନମୁନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ରିପୋର୍ଟ ଆସିବା କ୍ଷଣି ତାଙ୍କୁ ତୁରନ୍ତ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଏଥିସହ ସଂକ୍ରମଣ ଯେପରି ଅନ୍ୟମାନଙ୍କୁ ନବ୍ୟାପେ, ସେଥିପାଇଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ସଦସ୍ୟ ଏବଂ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ରାଜ୍ୟରେ ପୁଣିଥରେ କରୋନା ଏଣ୍ଟ୍ରି କରିଥିଲେ ମଧ୍ୟ ଏଥିରେ ଆଦୌ ଭୟଭୀତ କିମ୍ବା ଆତଙ୍କିତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ତେବେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କରୋନା କଟକଣାକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ କରି ଭିଡ଼ ଏବଂ ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ବାରମ୍ବାର ସାବୁନ୍ କିମ୍ବା ସାନିଟାଇଜରରେ ହାତ ସଫା କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ବଦଳୁଥିବା ପାଗ ଯୋଗୁଁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ। ତେଣୁ ଥଣ୍ଡା କିମ୍ବା ଜ୍ୱର ହେଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆବଶ୍ୟକ ପଡ଼ିଲେ ସହରରେ ଟେଷ୍ଟିଂ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.