Latest Odisha News

BREAKING NEWS

ଭୁବନେଶ୍ୱର ଉତ୍ତରରେ ଏଥର ବାପୁ, ବୁଲୁ ଲଢେଇ !

ଭୁବନେଶ୍ୱର: ନିର୍ବାଚନ ନିକଟତର ହେଉଥିବା ବେଳେ ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି। ତେଣୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ଟିକେଟ ପ୍ରସଙ୍ଗ। ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଏହି କ୍ରମରେ ଭୁବନେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଆସୁଥିବା ବେଳେ ସେଥିମଧ୍ୟରୁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବହୁ ଅଧିକ ଗୁରୁତ୍ୱ ରଖେ।

ପାଞ୍ଚୋଟି ପଂଚାୟତ ଓ ବିଏମସିର ୨୧ ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ଆରମ୍ଭରୁ ହିଁ ଶାସକ ବିଜେଡିର ପ୍ରଭାବ ଦେଖିବାକୁ ମିଳିଛି। ସୀମା ପୁନଃନିର୍ଧାରଣ ପରେ ୨୦୦୯ ରୁ ଏଠାରେ ନିର୍ବାଚନ ହେଉଛି। ୨୦୦୯ ରେ ବିଜେଡି ପ୍ରାର୍ଥୀ ଭାଗିରଥି ବଡ଼ଜେନା ବଡ଼ ବ୍ୟବଧାନରେ ବିଜୟଲାଭ କରିଥିଲେ। ଭାଗିରଥି ବଡ଼ଜେନା ୬୨ ହଜାର ୨୭୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଗୋଲକ ମହାପାତ୍ର ମାତ୍ର ୧୧ ହଜାର ୩୧୬ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ।

କଂଗ୍ରେସ ପ୍ରାର୍ଥୀ କିଶୋର ଜେନା ୧୦ ହଜାର ୪୫୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୪ ରେ କିନ୍ତୁ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା। ୭୩ ହଜାରରୁ ଅଧିକ ଭୋଟ ପାଇ ସେ ଜିତିଥିଲେ। ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ଦିଲ୍ଲୀପ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ୨୦୦୯ ନିର୍ବାଚନଠୁ ବିଜେପି ୨୦୧୪ ନିର୍ବାଚନରେ ଅଧିକ ପ୍ରତିଶତ ଭୋଟ ପାଇଥିଲେ ମଧ୍ୟ ଦିଲୀପ ମହାନ୍ତି ମାତ୍ର ୨୪ ହଜାର ୯୭୧ ଖଣ୍ଡ ଭୋଟରେ ସୀମିତ ରହି ଯାଇଥିଲେ। ଏଥର ବି କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା।

ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ମନୋରଞ୍ଜନ ଦାସଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ମାତ୍ର ୮ ହଜାର ୨୨୩ ଖଣ୍ଡ ଭୋଟ ପାଇଥିଲେ। ସେହିପରି ୨୦୧୯ ନିର୍ବାଚନରେ ବିଜେଡି ନୂଆ ଚେହେରାକୁ ନିର୍ବାଚନ ମଇଦାନକୁ ଓଲ୍ହାଇଥିଲା।

ସୁଶାନ୍ତ କୁମାର ରାଉତଙ୍କୁ ଦଳ ପ୍ରାର୍ଥୀ କରିବା ସହ ସେ ଜିତିଥିଲେ। ୭୧ ହଜାର ୧୯୩ ଖଣ୍ଡ ଭୋଟ ପାଇ ବିଜୟ ବାନା ଉଡାଇଥିଲେ ସୁଶାନ୍ତ। ସେହିପରି ବିଜେପି ଓ କଂଗ୍ରେସ ଏଥର ବି ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ।

ବିଜେପି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ପୂର୍ବ ପ୍ରାର୍ଥୀଙ୍କ ଅପେକ୍ଷା ଭଲ ଭୋଟ ପାଇଥିଲେ। ୪୫ ହଜାର ୭୭୯ ଖଣ୍ଡ ଭୋଟ ପାଇ ସେ ଲଢେଇ ଦେଇଥିଲେ। କଂଗ୍ରେସ କିନ୍ତୁ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ଉପରେ ଭରସା କରିଥିଲା। କିନ୍ତୁ ଇତିଶ ମାତ୍ର ପାଞ୍ଚ ହଜାର ୧୮୯ ଖଣ୍ଡ ଭୋଟରେ ସୀମିତ ରହିଯାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଏଥର କିନ୍ତୁ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଚିତ୍ର ବଦଳୁଛି। ବିଭିନ୍ନ ଦଳର ପୁରୁଣା ନିଷ୍ପତ୍ତିକୁ ଦେଖିଲେ ତିନି ପ୍ରମୁଖ ଦଳ ପ୍ରତି ନିର୍ବାଚନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି। ସବୁବେଳେ ବିଜେଡି ବହୁ ଭୋଟ ବ୍ୟବଧାନରେ ଏହି ନିର୍ବାଚନ ମଣ୍ଡଳୀରେ ଜିତୁଥିବା ବେଳେ ଏଥର ଦଳ ସେହି ସୁଶାନ୍ତଙ୍କ ଉପରେ ଭରସା କରିବ ନା ପ୍ରାର୍ଥୀ ବଦଳାଇବ ତାକୁ ନେଇ ଆଲୋଚନା ଜୋର ଧରିଛି।

ଏହି ସିଟ ପାଇଁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଜୋରଦାର ଲବି କରୁଛନ୍ତି। ନିର୍ବାଚନ ମଣ୍ଡଳୀରେ ବହୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ସେପଟେ ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଲୋକଙ୍କ ପାଖରେ ବେଶ ପ୍ରଭାବୀ ଢଙ୍ଗରେ ଉପସ୍ଥିତ ହେଉଥିବା ଦେଖିବାକୁ ମିଳିଛି। ତେଣୁ ବିଜେଡି ପୁଣିଥରେ ତାଙ୍କୁ ରିପିଟ କରିବାର ଅଧିକ ସମ୍ଭାବନା ରହିଛି।

ସେହିପରି ବିଜେଡି ଟିକେଟ ପାଇଁ ଆହୁରି ଅନେକ ଯୁବ ନେତା ମଧ୍ୟ ଆଶାୟୀ ରହିଛନ୍ତି। ସେପଟେ ବିଜେପି ପ୍ରତ୍ୟେକ ଥର ପ୍ରାର୍ଥୀ ପରିବର୍ତ୍ତନ କରୁଥିବାରୁ ଏଥର ଆଉ କେଉଁ ନୂଆ ଚେହେରାକୁ ପ୍ରାର୍ଥୀ କରିବ କିମ୍ବା ଦିଲ୍ଲୀପ ମହାନ୍ତି ଓ ଗୋଲକ ମହାପାତ୍ରଙ୍କ ମଧ୍ୟରୁ କାହା ଉପରେ ଭରସା କରିବ ତାକୁ ନେଇ ଚର୍ଚ୍ଚା ହେଉଛି।

ଦିଲ୍ଲୀପ ମହାନ୍ତି କିନ୍ତୁ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ରହି ଲୋକଙ୍କ ପାଖରେ ପହଁଚୁଥିବା ଦେଖିବାକୁ ମିଳିଛି। ସେପଟେ କଂଗ୍ରେସର ପ୍ରାର୍ଥୀତ୍ବକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଇତିଶ ଆଉ କଂଗ୍ରେସରେ ନାହାନ୍ତି।

ସେପଟେ ଉତ୍ତର ଭୁବନେଶ୍ୱରର ଯୁବ ନେତା ତଥା ସଂଗଠକ କୃଷ୍ଣଚନ୍ଦ୍ର ପତିଙ୍କ ନାଁ କଂଗ୍ରେସ ପ୍ରାର୍ଥୀ ଭାବେ ଚର୍ଚ୍ଚା ହେଉଛି। ଦୁଇ ହଜାର ମସିହାରୁ ଛାତ୍ର ରାଜନୀତି ସହ ଜଡିତ ଥିବା କୃଷ୍ଣଚନ୍ଦ୍ର ପତି ବା ବୁଲୁ ପତି ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବା ସହ ଯୁବ କଂଗ୍ରେସର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି।

ଏବେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି। ଏପରିକି ସେ ଉତ୍କଳ ଅଭିଭାବକ ସଂଘ, କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘର ସଭାପତି ଓ ନାଗରିକ ସୁରକ୍ଷା ସମାଜର ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

ତେଣୁ ଏଥର କଂଗ୍ରେସ ଉତ୍ତର ଭୁବନେଶ୍ୱର ପାଇଁ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଅନ୍ୟ ଦାବିଦାର ମାନେ ମଧ୍ୟ ରହିଛନ୍ତି। ତେଣୁ ଏସବୁ ଭିତରେ ରାଜ୍ୟର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଉତ୍ତର ଭୁବନେଶ୍ୱରରେ ଏଥର ଚିତ୍ର କଣ ହେବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Comments are closed.