ଭୁବନେଶ୍ୱର: କମିଶନରେଟ୍ ପୋଲିସ ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଅଞ୍ଚଳରେ ଥିବା ଯାଜ୍ଞସେନୀ ନିବାସ ନାମକ ଏକ ଆବାସିକ କୋଠାକୁ ‘ରେଡ୍ ଟ୍ୟାଗ୍’ କରିଛି।
ରିପୋର୍ଟ ଅନୁଯାୟୀ, ନିକଟରେ ରାଜଧାନୀର ରାସ୍ତା କଡ଼ରୁ ମୂର୍ମୂଷ ଅବସ୍ଥାରେ ଜଣେ ନାବାଳିକା ଝିଅ ଉଦ୍ଧାର ହୋଇଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ରକ୍ତ ପରୀକ୍ଷାରୁ ସେ HIV ପଜିଟିଭ୍ ଥିବା ଜଣାପଡ଼ିଛି।
ଫଳରେ ନାବାଳିକାଙ୍କ ସହ କେଉଁ ଗ୍ରାହକ ଆସି ସମ୍ପର୍କ ରଖିଥିଲେ ଏବେ ସେ ଦିଗରେ ପୋଲିସ ଛାନଭିନ୍ କରିବ । ଆସିଥିବା ଗ୍ରାହକମାନଙ୍କ ଠିକଣା ଖୋଜିବ ପୋଲିସ । ପରେ ସମସ୍ତଙ୍କର HIV ପରୀକ୍ଷା ମଧ୍ୟ କରାଯିବ ବୋଲି ଜଣାପଡ଼ିଛି।
ଝାଡ଼ଖଣ୍ଡର ଉକ୍ତ ନାବାଳିକା ଝିଅଟି ତାଙ୍କ ବୟାନ ରେକର୍ଡିଂ ସମୟରେ କହିଥିଲେ ଯେ ଦୁର୍ବୃତ୍ତମାନେ ତାଙ୍କୁ ଘରୁ ଅପହରଣ କରି ଏଠାରେ ଛାଡି ଦେଇଥିଲେ। ସେବେଠାରୁ ସେ ସେହି ବାସଭବନରେ ରହିବା ସହ ଜଣେ ଯୌନ କର୍ମୀ ଭାବରେ କାମ କରୁଥିଲେ ବୋଲି ଜଣାପଡ଼ୁଛି।
ତେବେ ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ । ଜଣେ ବରିଷ୍ଠ ମହିଳା ଆଇପିଏସ ଘଟଣାକୁ ମନିଟର କରିବେ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ।
ତେବେ କ୍ୟାପିଟାଲ ପୋଲିସ ନାବାଳିକାଙ୍କୁ ରାସ୍ତା ପାର୍ଶ୍ୱରେ ଗୁରୁତର ଅବସ୍ଥାରେ ପାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ ।
Comments are closed.