ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ହୋଲିରେ ମତୁଆଲା ହେବା ପାଇଁ ଏବେ ସମସ୍ତେ ପ୍ରସ୍ତୁତ। ରାଗ ରୁଷାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିବାର ମଜା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ଵତନ୍ତ୍ର ହୋଇଥାଏ। ହେଲେ ହୋଲିରେ କିଛି ବିଶୃଙ୍ଖଳା ମଧ୍ୟ ହୋଇଥାଏ। ହୋଲି ପାଳନ ବେଳେ ଆଇନଶୃଙ୍ଖଳା ବିଗିଡି଼ବାର ଆଶଙ୍କା ରହିଛି। ସାଙ୍ଗସାଥୀଙ୍କ ସହ ଭୋଜିଭାତ ଓ ସେଲିବ୍ରେସନରୁ ଗଣ୍ଡଗୋଳ, ଗୋଷ୍ଠୀ ସଂଘର୍ଷର ନଜିର୍ ରହିଛି। ଏକ ଆନନ୍ଦ ଓ ଉହ୍ଲାସର ପର୍ବରେ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ରାଜଧାନୀରେ ପୋଲିସ ସୁରକ୍ଷାକୁ କଡ଼ାକଡ଼ି କରିବ।
ପ୍ରାୟ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହରକୁ ଜଗିବେ। ପ୍ରତିଟି ସମ୍ବେଦନଶୀଳ ଜାଗାରେ ପୋଲିସ ମୁତୟନ ହେବ। କେହି ଅମାନିଆ ଆଇନକୁ ହାତକୁ ନେଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ୪ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୨୬ଜଣ ଇନ୍ସପେକ୍ଟର, ୧୪୫ଜଣ ଏସ୍ଆଇ/ଏଏସ୍ଆଇ ସୁରକ୍ଷା ତଦାରଖ କରିବେ।
ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପିସିଆର ଭ୍ୟାନ୍ ପାଟ୍ରୋଲିଂ କରିବ। ୮୫ଟି ପଏଣ୍ଟରେ ମଦ୍ୟପ ଚାଳକଙ୍କୁ ପୋଲିସ ଜଗିବ। ବ୍ରେଥ୍ ଆନାଲାଇଜର ଯୋଗେ ସେମାନଙ୍କୁ ଚେକିଂ କରାଯିବ। କୌଣସି ପ୍ରାକ୍ ଦୁର୍ଘଟଣାକୁ ଏଡ଼ାଇବା ଲାଗି ବିଭିନ୍ନ ଜଳାଶୟ ଏବଂ ନଦୀଗୁଡ଼ିକରେ ପୁଲିସ ମୁତୟନ କରାଯିବ। ବିଭିନ୍ନ ଘାଟରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ମୁତୟନ କରାଯିବ। ସହରର ବିଭିନ୍ନ ହୋଟେଲରେ ଯାଞ୍ଚ କରାଯାଇ ଅପରାଧୀ ମାନଙ୍କ ଉପରେ ତୀକ୍ଷଣ ନଜର ରଖାଯିବ। ବେଆଇନ ଭାବେ ମଦ ତଥା ନିଶା ଦ୍ରବ୍ୟ ବିକ୍ରିରେ ରୋକ୍ ଲାଗିବ।
ପୋଲିସ ପରାମର୍ଶ ଦେଇଛି ଯେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବିଭିନ୍ନ ନଈରେ ଅଗ୍ନିଶମ ଟିମ୍ ମୁତୟନ ଥିବା ସ୍ଥାନରେ ହିଁ ଗାଧାନ୍ତୁ। ମଦ ପିଇ ଜଳାଶୟ କିମ୍ୱା ନଦୀ ଭିତରକୁ ପଶନ୍ତୁନି। ମଦ୍ୟପାନ କରି ଗାଡି଼ ଚଳାଇବାରୁ ନିବୃତ୍ତ ରୁହନ୍ତୁ। ପରିବେଶ ପ୍ରଦୂଷଣ ରୋକିବାକୁ ହର୍ବାଲ ରଙ୍ଗରେ ହୋଲି ଖେଳନ୍ତୁ। ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ସାଜୁଥିବା ରାସାୟନିକ ରଙ୍ଗ ବ୍ୟବହାର କରନ୍ତୁନି।