Latest Odisha News

BREAKING NEWS

‘ଭୁବନେଶ୍ୱର ରେଳଷ୍ଟେସନ ଆଗକୁ ଦୈନିକ ୧ ଲକ୍ଷ ୪୪ ହଜାର ଲୋକଙ୍କୁ ସେବା ଯୋଗାଇବ’

ଭୁବନେଶ୍ୱର: ଆଜି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା । ଏହା ସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାମ ଶେଷ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଂସଦ ।

ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପୁରୁଣା ଷ୍ଟେସନରେ ଯାତ୍ରୀମାନଙ୍କର କୌଣସି ଅସୁବିଧା ନକରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ସାଂସଦ । ଏହା ସହ ନିର୍ମାଣ କାର୍ଯ୍ୟରେ ଯଦି କିଛି ସୁବିଧା ଅସୁବିଧା ରହିଥାଏ, ତାର ସମାଧାନ ଲାଗି ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା । ଏହି ନବୀକରଣ କାର୍ଯ୍ୟରେ କେବଳ ରେଳ ବିଭାଗ ନୁହେଁ ବରଂ ବିଡିଏ, ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ରାଜ୍ୟ ସରକାରଙ୍କର ଅନେକ ବିଭାଗ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ସଂଶ୍ଳିଷ୍ଟ ରହି ସେମାଙ୍କର ଭୂମିକାକୁ ସଠିକ୍ ଭାବରେ ନିଭାଉଛନ୍ତି । ଯାହାର ଖୁବ୍ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ସାଂସଦ ।

ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ ଲାଗି ସାଧାରଣ ପ୍ରଶାସନ ବିଭାଗ ରେଳ ବିଭାଗକୁ ୧୨ ଏକରରୁ ଅଧିକ ଜମି ପ୍ରଦାନ କରିଛି । ତେବେ ଆଉ ଆବଶ୍ୟକ ଥିବା ୧ ଏକର ୨୩ ଡିସିମିଲ ଜମି ପାଇଁ ବିଡିଏକୁ ନିବେଦନ କରିଛି ଇଷ୍ଟକୋଷ୍ଟ ରେଲଓ୍ୱେ । ତାହା ମଧ୍ୟ ମିଶିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା । ଏହାବାଦ୍ ରେଳ ଷ୍ଟେସନକୁ ସଂଯୋଗ କରିବା ଲାଗି ଅନ୍ୟ ଦୁଇଟି ରାସ୍ତା ଲାଗି କିଛି ଅନୁମତି ବାକି ରହିଛି । ତେବେ ବିଡିଏ ଏବଂ ଅନ୍ୟ ବିଭାଗ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଅପରାଜିତା ।

୨୦୨୩ ମସିହା ମାର୍ଚ୍ଚ ମାସରୁ ଆରମ୍ୟ ହୋଇଛି ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାମ । ଯେଉଁଥିଲାଗି ୪୧୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ସରିଲାଣି । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ନୂଆ ଷ୍ଟେସନ ଲୋକାର୍ପିତ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ଏଠାରେ ଯାତ୍ରୀ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ଅପରାଜିତା ।

ଭୁବନେଶ୍ୱର ରେଳ ଷ୍ଟେସନ ବର୍ତ୍ତମାନ ଦୈନିକ ୭୦ରୁ ୮୦ ହଜାର ଲୋକଙ୍କୁ ସେବା ଯୋଗାଉଛି । ଆଗକୁ ଏହାର କ୍ଷମତା ୧ ଲକ୍ଷ ୪୪ ହଜାରକୁ ବୃଦ୍ଧି ପାଇବ । ବିଭିନ୍ନ ପ୍ରକାରର ଫୁଡ୍ କୋର୍ଟ, ସପିଂ ମଲ୍, ଦୋକାନ ବଜାର ସ୍ଥାପନ ଦ୍ୱାରା ଯାତ୍ରୀମାନେ ଏଠାରେ ଅତ୍ୟାଧୁନିକ ସେବାମାନ ପାଇପାରିବେ । ତାସହ ରେଳ ଷ୍ଟେସନର କାନ୍ଥସବୁ ଓଡ଼ିଶାର ଉନ୍ନତ କଳା ସଂସ୍କୃତିକୁ ବଖାଣିବ । ଆଗକୁ ମଧ୍ୟ ମଝିରେ ମଝିରେ ଏମିତି ସମୀକ୍ଷା କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Comments are closed.