Latest Odisha News

BREAKING NEWS

‘ଆଉ ୬ରୁ ୭ ମାସ ଅଳିଆ ଦୁର୍ଗନ୍ଧ ସହିବେ ରାଜଧାନୀବାସୀ’

ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଥିବା ଅଳିଆର ପାହାଡ଼କୁ ସଫା କରିବା ପାଇଁ ଆଉ ୬ରୁ ୭ ମାସ ସମୟ ଲାଗିବ ବୋଲି ଶନିବାର ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଘରୋଇ ଲୋକେ ବର୍ଜ୍ୟବସ୍ତୁକୁ ଅଲଗା କରିନଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି କୁଲାଙ୍ଗେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଣିକି ଘର ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ସ୍ଥାନରେ ଏଭଳି ପୃଥକୀକରଣ ନକରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆସନ୍ତା ୬ରୁ ୭ ମାସ ମଧ୍ୟରେ ପୂରା ଅଳିଆ ପାହାଡ଼କୁ ସଫା କରିବା ପାଇଁ ଆମେ ନିଷ୍ପତ୍ତି ନେଇସାରିଛୁ। ଅଳିଆ ଆବର୍ଜନାର ପରିମାଣ ଅଧିକ ଥିବାରୁ ଆମେ ଏକ ମେସିନ୍ କିଣିଛୁ ଏବଂ ଖୁବ୍ ଶୀଘ୍ର ଆଉ ଏକ ମେସିନ୍ ଆସନ୍ତା ୧୫ ଦିନ ମଧ୍ୟରେ ଅଣାଯିବ। ସମସ୍ୟା ହେଉଛି ଆମକୁ ପୃଥକ ପୃଥକ ବର୍ଜ୍ୟବସ୍ତୁ ମିଳୁନାହିଁ। ଆମେ ସମସ୍ତ ନାଗରିକଙ୍କୁ ନିବେଦନ କରୁଛୁ ଯେ ସେମାନେ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଗାଡ଼ିଗୁଡ଼ିକୁ ପୃଥକ ପୃଥକ କରି ବର୍ଜ୍ୟବସ୍ତୁ ହସ୍ତାନ୍ତର କରନ୍ତୁ, ନଚେତ୍ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଲାଙ୍ଗେ କହିଛନ୍ତି।

ଭୁବନେଶ୍ୱର ସୈନିକ ସ୍କୁଲ ପଛପଟେ ଥିବା ଟେମ୍ପୋରାରି ଟ୍ରାନଜିଟ୍ ସେଣ୍ଟର (ଟିଟିସି)ରେ ଦୁର୍ଗନ୍ଧ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏମସି ଅଧିକାରୀଙ୍କ ଖାମଖିଆଲି ମନୋଭାବ ବିରୋଧରେ ଶନିବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୁରନ୍ତ ଏହାର ସମାଧାନ ପାଇଁ ଦଳୀୟ ନେତାମାନେ ଦାବି କରିଛନ୍ତି।

ବରିଷ୍ଠ ବିଜେପି ନେତା ବାବୁ ସିଂ କହିଛନ୍ତି ଯେ ବିଜେପିର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ଅନୁଭବ କରିଥିଲେ ଯେ ସ୍ଥାନୀୟ ବାସିନ୍ଦାଙ୍କ ରହିବା ପାଇଁ ପରିବେଶ ଅନୁକୂଳ ନୁହେଁ। ଏହା ଏକ ଅସ୍ଥାୟୀ ଡମ୍ପିଂ ସାଇଟ୍ ବୋଲି ବିଏମସି ପୂର୍ବରୁ କହିଥିବା ବେଳେ ତିନି ମାସ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏବେ କର୍ତ୍ତୃପକ୍ଷ ଆଉ ସାତ ମାସ ସମୟ ମାଗୁଛନ୍ତି ଯାହା ପ୍ରକୃତରେ ଦୁର୍ଭାଗ୍ୟଜନକ।

Comments are closed.