ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଖୁବ୍ ଶୀଘ୍ର ଉତ୍ତର ପ୍ରଦେଶର ଗାଜିଆବାଦ ଓ ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ଭଳି ଦୁଇଟି ରୁଟକୁ ବିମାନ କନେକ୍ଟିଭିଟି ହେବ।
ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବୁଧବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରାଯାଇଛି।
ରାଜ୍ୟ ସରକାରଙ୍କ ନୂଆ ଡେଷ୍ଟିନେସନ ପଲିସି ଅନୁଯାୟୀ ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ବିମାନ ସେବା ଆରମ୍ଭ ହେବ।
ମାର୍ଚ୍ଚ ୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗାଜିଆବାଦର ହିଣ୍ଡନ୍ ବିମାନବନ୍ଦର ଏବଂ ପୋର୍ଟ ବ୍ଲେୟାରର ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।
ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହି ଦୁଇଟି ନୂତନ ବିମାନ ରୁଟରେ ଦୈନିକ ବିମାନ ସେବା ଆରମ୍ଭ କରିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଦୁଇଟି ଘରୋଇ ଗନ୍ତବ୍ୟସ୍ଥଳକୁ ଦୈନିକ ବିମାନ ଉଡାଣ ଫଳରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି ହେବ।
Comments are closed.